ନୂଆଦିଲ୍ଲୀ:କଥାରେ ଅଛି ଡାକ୍ତର, ଜର୍ଜ ଆଉ ଓକିଲଙ୍କ ବୟସ ବଢିଲେ ଜ୍ଞାନ ବଢେ ଆଉ ସେମାନଙ୍କର ମୂଲ୍ୟ ମଧ୍ୟ।
ରାଜନେତାମାନଙ୍କୁ ସତୁରୀ ବର୍ଷ ବୟସରେ ଅବସର ନେବାକୁ କହୁଥିବା ମୋଦି ସରକାର କିନ୍ତୁ ଓକିଲଙ୍କ କ୍ଷେତ୍ରରେ ଭିନ୍ମମତ ରଖୁଥିବା ମନେହୁଏ।
କେନ୍ଦ୍ର ସରକାରଙ୍କ ଅଟର୍ନି ଜେନେରାଲ କେ କେ ବେନୁଗୋପାଳଙ୍କ ତିନି ବର୍ଷୀୟା ନିଯୁକ୍ତି ଜୁନ ମାସରେ ସାରିବାକୁ ଯାଉଛି। ବେନୁଗୋପାଳଙ୍କୁ ବର୍ତ୍ତମାନ ୯୦ ଟପିଲାଣି।
ହେଲେ ମୋଦି ସରକାର ତାଙ୍କୁ ଛାଡିବାକୁ ନାରାଜ। ଶୁଣାଯାଉଛି ସରକାର ବେନୁଗୋପାଳଙ୍କୁ ଅଟର୍ନି ଜେନେରାଲ ପଦବୀରେ ପୁନର୍ନିଯୁକ୍ତି ଦେବାକୁ ଯାଉଛନ୍ତି।
ବାରରେ ବେନୁଗୋପାଳଙ୍କ ମର୍ଯ୍ୟଦା ଓ ତାଙ୍କର ସତୁରୀ ବର୍ଷର ଓକିଲାତି ଅଭିଜ୍ଞତାର ଲୋଭ ସମ୍ଭାରଣ କରି ପାରୁନାହାନ୍ତି ସରକାର।
ସୁପ୍ରିମକୋର୍ଟରେ ସରକାରଙ୍କ ୩୭୦ ଧାରା ଉଚ୍ଛେଦ ନିଷ୍ପତି ବିରୋଧରେ ହୋଇଥିବା ମାମଲା ସମେତ ଅନେକ ସମ୍ବିଧାନ ସମ୍ପର୍କିତ ମାମଲାର ଶୁଣାଣି ଚାଲିଥିବା ବେଳେ ବେନୁଗୋପାଳଙ୍କୁ ହାତଛଡା କରିବାକୁ ଚାହୁଁନାହାନ୍ତି ସରକାର।