ନୂଆଦିଲ୍ଲୀ ୧୧/୧ : ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଶୁକ୍ରବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନେତୃତ୍ୱାଧୀନ ମନୋନୟନ କମିଟି ତାଙ୍କୁ ଗତକାଲି ବେସାମରିକ ପ୍ରତିରକ୍ଷା ଓ ଗୃହରକ୍ଷୀ ବାହିନୀ ମହାନିର୍ଦ୍ଦେଶକ ରୂପେ ବଦଳି କରିବା ପରେ କ୍ଷୁବ୍ଧ ହୋଇ ଶ୍ରୀ ବର୍ମା ନିଜ ପଦ ତ୍ୟାଗ କରିଛନ୍ତି । ଏକ ଗଣମାଧ୍ୟମ ସହ ସାକ୍ଷାତକାରରେ ସେ କହିଛନ୍ତି ଯେ, ବର୍ତ୍ତମାନ ହେଉଛି ‘ସାମୁହିକ ଆତ୍ମନିରୀକ୍ଷଣ’ର ମୁହୂର୍ତ୍ତ । ଆସନ୍ତା ୩୧ ତାରିଖରେ ସେ ଅବସର ନେଇଥାନ୍ତେ ।
ଏଠାରେ ସୂଚନା ଯୋଗ୍ୟ ଯେ, କିଛିଦିନ ତଳେ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ସହ ତାଙ୍କର ବିବାଦ ଦେଖାଦେବା ପରେ ଉଭୟଙ୍କୁ ଛୁଟିରେ ଯିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ । ତେବେ ଗତ ମଙ୍ଗଳବାର ଦିନ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଦେଶକୁ ଅସିଦ୍ଧ ଘୋଷଣା କରିବା ପରେ ବର୍ମା ପୁଣି ନିଜ ପଦକୁ ଫେରିଥିଲେ । କିନ୍ତୁ ଗତକାଲି ପ୍ରଧାମନ୍ତ୍ରୀଙ୍କ ନେତୃତ୍ୱାଧୀନ ମନୋନୟନ କମିଟି ତାଙ୍କୁ ବଦଳି କରିଥିଲେ ।