ଭୁବନେଶ୍ୱର ୫/୧ : ଓଡ଼ିଶାରେ ତାଲିମପ୍ରାପ୍ତ ଯୁବକ-ଯୁବତୀମାନଙ୍କର କର୍ମ ନିୟୋଜନ ଓ ଆତ୍ମନିଯୁକ୍ତି ସୁବିଧା ବଢ଼ାଇବା ଲାଗି ସ୍ୱୀକୃତିପ୍ରାପ୍ତ ସର୍ବେକ୍ଷକ (ଲାଇସେନ୍ସଡ଼ ସର୍ଭେୟର) କୋ÷ଶଳ ତାଲିମ ଆରମ୍ଭ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ଏହାକୁ ରାଜ୍ୟର ପଲିଟେକନିକ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସାମିଲ କରାଯିବ । ଆସନ୍ତା ଶିକ୍ଷା ବର୍ଷରୁ ଏହା ଆରମ୍ଭ ହେବ । ଚଳିତ ମାସ ଶେଷ ସୁଦ୍ଧା ଭୁବନେଶ୍ୱର ସରକାରୀ ପଲିଟେକନିକ୍ କଲେଜରେ ଏ ସଂକ୍ରାନ୍ତରେ ଏକ ସ୍ୱଳ୍ପସୂତ୍ରୀ ମଡ଼୍ୟୁଲାର କୋର୍ସ ଆରମ୍ଭ କରାଯିବ । ମୁଖ୍ୟ ଶାସନସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ୨୦୧୯-୨୦ ଆର୍ଥିକ ବର୍ଷରୁ ପଲିଟେକନିକ୍ ଇଞ୍ଜିନିୟରିଂ ପାଠ୍ୟକ୍ରମର ପଂଚମ ଓ ଷଷ୍ଠ ସେମିଷ୍ଟାରରେ ଏହି ତାଲିମ ବ୍ୟବସ୍ଥାକୁ ସାମିଲ କରାଯିବ । ଏଥିପାଇଁ ଇଣ୍ଟର୍ଣ୍ଣସିପ୍ ବ୍ୟବସ୍ଥା ମଧ୍ୟ ରହିବ ବୋଲି ବିଭାଗୀୟ ଶାସନ ସଚିବ ସଞ୍ଜୟ କୁମାର ସିଂ ସୂଚନା ଦେଇଛନ୍ତି ।