ନୂଆଦିଲ୍ଲୀ ୧୫/୬ : ପଶ୍ଚିମବଙ୍ଗରେ ହିଂସାକାଣ୍ଡର ହିସାବ ମାଗିଛନ୍ତି କେନ୍ଦ୍ର ସରକାର । ଏହା ସହ ୨୦୧୬ ରୁ ୨୦୧୯ ଯାଏଁ ଘଟିଥିବା ରାଜନୈତିକ ହିଂସାକାଣ୍ଡର ହିସାବ ମାଗିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଡାକ୍ତରଙ୍କ ଆନ୍ଦୋଳନକୁ ରୋକିବା, ହିଂସା ଉପରେ ଲଗାମ ଲଗାଇବା ଏବଂ ଦୋଷୀଙ୍କୁ ଦଣ୍ଡ ଦେବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ତାହାର ରିପୋର୍ଟ ଦେବାକୁ କେନ୍ଦ୍ର କହିଛି ।
କେନ୍ଦ୍ର ସରକାର ରାଜ୍ୟର ବର୍ତ୍ତମାନ ସ୍ଥିତି ଉପରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । କେନ୍ଦ୍ର ୨୦୧୬ରୁ ଏ ଯାଏଁ ଘଟିଥିବା ଘଟଣାର ତାଲିକା ମଧ୍ୟ ପ୍ରକାଶ କରିଛି । ୨୦୧୬ରେ ୫୦୯ଟି ହିଂସା ଘଟଣା ଘଟିଥିବାବେଳେ ୨୦୧୮ରେ ଏହା ବଢ଼ି ୧୦୩୫ରେ ପହଁଚିଛି । ୨୦୧୯ରେ ୭୭୩ଟି ଏଭଳି ମାମଲା ଏଯାବତ ହୋଇସାରିଲାଣି । ସେହିପରି ୨୦୧୬ରେ ୩୬ଜଣଙ୍କ ପ୍ରାଣ ଯାଇଥିବାବେଳେ ୨୦୧୮ରେ ମୃତ୍ୟୁ ସଂଖ୍ୟା ୯୬ରେ ପହଁଚିଥିଲା । ସେହିପରି ୨୦୧୯ରେ ଏ ଯାଏଁ ୨୬ ଜଣଙ୍କ ହିଂସାକାଣ୍ଡରେ ମୃତ୍ୟୁ ହୋଇସାରିଲାଣି । ରାଜ୍ୟ ସରକାର ହିଂସା ରୋକିବା ଓ ଲୋକଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି କେନ୍ଦ୍ର କହିଛି । ତେଣୁ ହିଂସା ଉପରେ ଲଗାମ ଲଗାଇବା ଏବଂ ଦୋଷୀଙ୍କୁ ଦଣ୍ଡ ଦେବାକୁ ପଶ୍ଚିମବଙ୍ଗ ସରକାର କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ତାହାର ରିପୋର୍ଟ ଦେବାକୁ କେନ୍ଦ୍ର କହିଛି ।