Health

ପଶ୍ଟିମ ଓଡିଶାର ପ୍ରଥମ ପ୍ଲାଜମା ବ୍ୟାଙ୍କ ରାଉରକେଲାର ଆଇଜିଏଚରେ ଉଦ୍‌ଘାଟିତ।

Published

on

ଭୁବନେଶ୍ବର:

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ତୃତୀୟ ତଥା ପଶ୍ଚିମ ଓଡିଶାର ପ୍ରଥମ ପ୍ଲାଜ୍‌ମା ବ୍ୟାଙ୍କ ରାଉରକେଲାର ଆଇଜିଏଚ ଠାରେ ଉଦ୍‌ଘାଟନ କରିଛନ୍ତି। ଏହାଦ୍ବାରା ପଶ୍ଚିମ ଓଡିଶାରେ ଗୁରୁତର କୋଭିଡ ରୋଗୀମାନଙ୍କ ଚିକିତ୍ସାରେ ଅଧିକ ସଫଳତା ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଆଶାପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ସାରା ବିଶ୍ବ ବର୍ତ୍ତମାନ କରୋନା ମହାମାରୀର ସାମ୍‌ନା କରୁଥିବା ବେଳେ ଅଗଣିତ କୋଭିଡ ରୋଗୀଙ୍କ ପାଇଁ ପ୍ଲାଜମା ଥେରାପି ଏକ ଆଶାର କିରଣ ହୋଇପାରିଛି।   ଓଡିଶାରେ ପ୍ଲାଜମା ଥେରାପି ଏକ ସଫଳ ଚିକିତ୍ସା ପଦ୍ଧତି ରୂପେ ବିଶ୍ବାସ ସୃଷ୍ଟି କରିଛି। ଏଥିପାଇଁ, ସାରା ରାଜ୍ୟର ଲୋକଙ୍କ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁଁ ଆମର ପ୍ରତିଶ୍ରୁତିବଦ୍ଧତାକୁ କାର୍ଯ୍ୟକାରୀ କରିବାକୁ ଯାଇ ପ୍ଲାଜମା ଥେରାପିକୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ସଂପ୍ରସାରିତ କରିବାକୁ  ଆମେ ନିଷ୍ପତ୍ତି ନେଇଛୁ।
କଟକ-ଭୁବନେଶ୍ବରରେ ଏହାର ସଫଳ ପ୍ରୟୋଗ ପରେ ପଶ୍ଚିମ ଓଡିଶାରେ ତୃତୀୟ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ହେବା ଖୁସିର କଥା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।  ଏହି ପଦ୍ଧତି ଉପରେ ଜନସାଧାରଣଙ୍କର ବହୁତ ଆଶା ଓ ବିଶ୍ବାସ ଥିବାରୁ ରାଉରକେଲା ଆଇଜିଏଚର ଦାୟିତ୍ବ ଆଜି ଅନେକ ପରିମାଣରେ ବଢିଯାଇଛି ବୋଲି ପଟ୍ଟନାୟକ କହିଥିଲେ ଏବଂ   ଜନସାଧାରଣଙ୍କ ଆଶୀର୍ବାଦରେ ଏହି ନୂଆ କେନ୍ଦ୍ର ଲୋକଙ୍କୁ ଉତ୍ତମ ସେବା ଦେବା ସହ ସେମାନଙ୍କ ଭରସାକୁ ପୂରଣ କରିବାରେ ସଂପୂର୍ଣ୍ଣ ସଫଳ ହେବ ବୋଲି ଆଶାପ୍ରକାଶ କରିଥିଲେ।
ନିଜ ଉକ୍ତିକୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ରାଜ୍ୟର ଜଣେ ବି ବ୍ୟକ୍ତି ସବୁଠାରୁ ଉତ୍ତମ ଚିକିତ୍ସା ପାଇବାରୁ କେବେ ବି ବଞ୍ଚିତ ହେବେ ନାହିଁ । ଆମର ଏହି ପ୍ରତିଶ୍ରୃତି ରାଜ୍ୟର ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ମାନଙ୍କ ଉପରେ ଥିବା ଆମର ଆଶା ଓ ଭରସା ଉପରେ ପର୍ଯ୍ୟବେସିତ। ଏଭଳି ଆହ୍ବାନମୂଳକ ସମୟରେ ସେମାନେ ବହୁତ ଭଲ କାମ କରୁଥିବରୁ ମୁଖ୍ୟମନ୍ତ୍ରୀ ସେମାନଙ୍କର ଉଚ୍ଚପ୍ରଶଂସା କରିଥିଲେ।  ରାଜ୍ୟର ସବୁ କୋଭିଡ ଯୋଦ୍ଧା ମାନଙ୍କ ମହତ୍ବପୂର୍ଣ୍ଣ କାର୍ଯ୍ୟକୁ ପ୍ରଶଂସା କରିବା, ସେମାନଙ୍କୁ ସମର୍ଥନ ଦେବା ତଥା ଏପରି ସମୟରେ ସେମାନଙ୍କ ସହିତ ଦୃଢ ଭାବରେ ଠିଆ ହେବାରେ ତାଙ୍କ ସହ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ବାନ ଜଣାଇଥିଲେ।  
  ପ୍ଲାଜମା ଦାନ ଆଜି ଏକ ଜନଆନ୍ଦୋଳନର ରୂପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ ଏବଂ ଏଥିପାଇଁ ରାଜ୍ୟ ସରକାର ପୁରା ସମର୍ଥନ ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ। ସ୍ବାଗତଯୋଗ୍ୟ ଯେ ଗତ ୧୫ ଦିନ ମଧ୍ୟରେ ରାଜ୍ୟରେ ୭୦ଟି ପ୍ଲାଜମା ୟୁନିଟ୍‌ ସଂଗୃହୀତ ହୋଇଛି, ୮ ଜଣ ପ୍ଲାଜମା ଚିକିତ୍ସିତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୧୭ ଜଣ ରୋଗୀଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଛି।   ଏହି ଉଦ୍ୟମକୁ ଆହୁରି ଆଗକୁ ନେବାପାଇଁ ରାଜ୍ୟର ସବୁ ବିଧାୟକ ମାନଙ୍କୁ ପ୍ଲାଜମା ଦାନ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି ଏବଂ ପ୍ଲାଜମା ଦାନକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କୁ ଅନୁରୋଧ ମଧ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।  
ଖୁବ ଶୀଘ୍ର ବ୍ରହ୍ମପୁରର MKCG Medical College ଓ ବୁର୍ଲାର ଭୀମସାର ଠାରେ ପ୍ଲାଜମା ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଏହାଦ୍ବାରା ରାଜ୍ୟର ସବୁ ଅଞ୍ଚଳରେ ପ୍ଲାଜମା ଚିକିତ୍ସାର ସୁବିଧା ସହଜରେ ମିଳିପାରିବ ଏବଂ ଆମେ ସମସ୍ତେ ଆମର ଏକ ଗୁରୁଦାୟିତ୍ବକୁ ପୂରଣ କରିପାରିବୁ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ଜନସ୍ବାସ୍ଥ୍ୟ ଓ ଚିକିତ୍ସା ସେବାରେ ସବୁଠାରୁ ଉଚ୍ଚ ମାନ ବଜାୟ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ଟୁକୁନୀ ସାହୁ କରୋନାକୁ ହରାଇବାରେ ପ୍ଲାଜମା ଥେରାପିର ସଫଳତା ଦ୍ବାରା ପଶ୍ଚିମ ଓଡିଶାବାସୀ ମଧ୍ୟ ଆଇଜିଏଚ ପ୍ଲାଜମା ବ୍ୟାଙ୍କ ଦ୍ବାରା ବିଶେଷ ଉପକାର ପାଇବେ।
ମୁଖ୍ୟଶାସନ ସଚିବ  ଅସିତ ତ୍ରିପାଠୀ ପ୍ଲାଜମା ଦାନକୁ ଉତ୍ସାହିତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଅଇଜିଏଚ ରେ ପ୍ଲାଜମା ଥେରାପି ଉପରେ ସୂଚନା ଦେଇଥିଲେ। ଅଧିକରୁ ଅଧିକ ଲୋକ ପ୍ଲାଜମା ଦାନ କଲେ ରାଜ୍ୟର ସୁସ୍ଥତା ହାର ଆହୁରି ବୃଦ୍ଧି ପାଇବ ବୋଲି ସେ ଆଶାପ୍ରକାଶ କରିଥିଲେ।
 ରାଉରକେଲାରେ ପ୍ରଥମ ପ୍ଲାଜମା ଦାନ କରିଥିବା ସୀମାଞ୍ଜଳ ଗୌଡ କରୋନା ରୋଗ ସଂପର୍କରେ ତାଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ ଏବଂ ସମସ୍ତଙ୍କୁ ପ୍ଲାଜମା ଦାନ କରିବା ପାଇଁ ଅନୁରୋଧ କରିଥିଲେ।
ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version