National

ପାର୍ବଣ ଓ ଶୀତ ଋତୁ ପାଇଁ ରାଜ୍ୟବାସୀଙ୍କୁ କୋଭିଡ ସତର୍କତା କରାଇଲେ ନବୀନ

Published

on


ଭୁବନେଶ୍ୱର: କୋଭିଡ ପରିଚାଳନାରେ ଓଡିଶା କ୍ରମାଗତଭାବେ ଭଲ ପ୍ରଦର୍ଶନ କରିଆସୁଛି। ସମସ୍ତ ସୂଚକାଙ୍କ ଜାତୀୟ ହାର ଠାରୁ ଭଲ ରହିଛି । ଅଧିକାଂଶ ଜିଲ୍ଲାରେ ନୂଆ ସଂକ୍ରମଣ କମୁଛି। କଟକ, ଖୋର୍ଦ୍ଧା ଓ ପୁରୀ ପରି ଅଧିକ ସଂକ୍ରମଣ ଥିବା ଜିଲ୍ଲାଗୁଡିକରେ ମଧ୍ୟ ପରିସ୍ଥିତିର ଉନ୍ନତି ଆସିଛି । ଆଗକୁ ପୂଜା ଋତୁ ଆସୁଥିବାରୁ ଏବଂ ତା ପରେ ପରେ ଶୀତ ଋତୁର ପ୍ରଭାବ ଆସୁଥିବାରୁ ପ୍ରଶାସନକୁ ସଂପୂର୍ଣ୍ଣ ଭାବେ ସତର୍କ ରହି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଏବଂ କୋଭିଡ ନିୟମାବଳୀକୁ ଦୃଢ ଭାବରେ କାର୍ଯ୍ୟକାରୀ କରିବାକୁ ହେବ । 

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଭିଡିଓ କନ୍‌ଫରେନସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରି ବରିଷ୍ଠ ଅଧିକାରୀ ମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେରଳ କୋଭିଡ ପରିଚାଳନାରେ ଅତି ଭଲ ପ୍ରଦର୍ଶନ କରିଆସୁଥିଲା। କିନ୍ତୁ ଓନାମ ଉତ୍ସବ ପରେ ସବୁକିଛି ବଦଳି ଯାଇଛି। ସଂକ୍ରମଣ ବହୁ ପରିମାଣରେ ବଢିଯାଇଛି। ଇଉରୋପ୍‌ର ଦେଶ ଗୁଡିକରେ ମଧ୍ୟ ସଂକ୍ରମଣର ଦ୍ବିତୀୟ ଲହର  ଦେଖାଦେଇଛି। ତେଣୁ ସାମାନ୍ୟ ଢିଲା ପଣ ଆସିଲେ, ପରିସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହିଛି । ସେଥିପାଇଁ ପ୍ରଶାସନ ଏ କ୍ଷେତ୍ରରେ ସଂପୂର୍ଣ୍ଣ ସତର୍କ ରହି ଲୋକଙ୍କୁ ସଚେତନ କରିବା ଏବଂ ସବୁ ନିୟମର ଦୃଢ ଅନୁପାଳନ ଉପରେ ଧ୍ୟାନ କେନ୍ଦ୍ରୀତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ପାର୍ବଣ ଓ ଶୀତ ଋତୁକୁ ଦୃଷ୍ଟିରେ ରଖି ସମସ୍ତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଏବଂ ଏ ସଂପର୍କରେ ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କୁ ଦୃଢ ଭାବରେ ମନିଟରିଂ କରିବା ପାଇଁ ପରାମର୍ଶ ଦିଆଯାଇଥିଲା।

ଏହି ଅବସରରେ ରାଜ୍ୟରେ ଅର୍ଥନୈତିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଓଡିଶା ବର୍ତ୍ତମାନ ପୁଞ୍ଜି ବିନିଯୋଗର ଏକ ଆକର୍ଷଣୀୟ କ୍ଷେତ୍ର ହୋଇପାରିଛି । ତେଣୁ ବୃହତ ଶିଳ୍ପ ହେଉ, କିମ୍ବା ମଧ୍ୟମ ବା କ୍ଷୁଦ୍ର କ୍ଷେତ୍ର ହେଉ – ସମସ୍ତ ଶିଳ୍ପ ପ୍ରକଳ୍ପ ଗୁଡିକୁ ସବୁସ୍ତରରେ ସହଯୋଗ ଯୋଗାଇ ଦେଇ ଠିକ୍‌ ସମୟରେ ପ୍ରକଳ୍ପ ଯେପରି କାର୍ଯ୍ୟକାରୀ ହେବ ଏବଂ ପୁଞ୍ଜି ବିନିଯୋଗର ଲାଭ ଯେପରି ଲୋକମାନେ ପାଇପାରିବେ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
  
ନରେଗା, ମିଶନ ଶକ୍ତି ଓ ଜୀବିକା ମିଶନ ଆଦି ଜୀବିକା କାର୍ଯ୍ୟକ୍ରମ ଗୁଡିକୁ ମଧ୍ୟ ଉପଯୁକ୍ତ ପ୍ରାଧାନ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।  ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିଳ୍ପ, ଖଣି, ନିର୍ମାଣ, ସେବା, ପରିବହନ ଆଦି ସବୁ କ୍ଷେତ୍ରରେ ଅର୍ଥନୈକିକ କାର୍ଯ୍ୟକ୍ରମକୁ ଆଗ୍ରାଧିକାର ଦେବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ କ୍ଷେତ୍ରରେ କୌଣସି ବାଧାକୁ ବରଦାସ୍ତ କରାଯିବ ନାହିଁ । ଯେକୌଣସି ଅର୍ଥନୈତିକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରାଗଲେ ଦୃଢ ପଦକ୍ଷେପ ନିଆଯିବ।

ମୁଖ୍ୟଶାସନ ସଚିବ ଅସିତ ତ୍ରିପଠୀ କହିଥିଲେ ଯେ ରାଜ୍ୟରେ ସଂକ୍ରମଣ ହ୍ରାସ ଘଟୁଛି । ତେଣୁ ବର୍ତ୍ତମାନ ଡାକ୍ତରଖାନା ଉପରେ ଚାପ ମଧ୍ୟ ହ୍ରାସ ପାଇଛି । ଫାଭିପିରାଭିର ବଟିକା ଭଲ କାମ ଦେଉଛି ଓ ଏହାର ବ୍ୟବହାର   ରୋଗୀଙ୍କ ଦ୍ବାରା ଗ୍ରହଣୀୟ ହେଉଛି ବୋଲି ସେ କହିଥିଲେ।   ସେହିପରି  ଟେଷ୍ଟ ରିପୋର୍ଟ ଯେପରି ଶୀଘ୍ର ମିଳିପାରିବ, ସେ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କହିଲେ ଯେ କଟକ, ଖୋର୍ଦ୍ଧା ଓ ପୁରୀରେ ସଂକ୍ରମଣ କମୁଛି । ରାଜ୍ୟରେ ଆରୋଗ୍ୟ ହାର ୯୧ ପ୍ରତିଶତରେ ପହଞ୍ଚିଛି ଏବଂ ଓଡିଶା ଏ କ୍ଷେତ୍ରରେ ଦେଶର ପ୍ରଥମ ୫ଟି ରାଜ୍ୟ ମଧ୍ୟରେ ରହିଛି ।  ରାଜ୍ୟରେ ବର୍ତ୍ତମାନ ୨୫୪୨୮ ଆକ୍ଟିଭ କେସ୍‌ ଥିବାବେଳେ, ୧୯୧୩୧ ଜଣ ଗୃହ ସଂଗରୋଧରେ ରହିଛନ୍ତି। କୋଭିଡ ଡାକ୍ତରଖାନା ଶଯ୍ୟା, ଆଇସିୟୁ ଓ ଭେଂଣ୍ଟିଲେଟର ଆଦି ସବୁ କ୍ଷେତ୍ରରେ ରାଜ୍ୟ ବର୍ତ୍ତମାନ ସନ୍ତୋଷଜନକ ସ୍ଥିତିରେ ରହିଛି । ବାର୍ତ୍ତମାନ ୨୦ ରୁ ୪୦ ପ୍ରତିଶତ ଆଇସିୟୁ  ଖାଲି ରହୁଛି ବୋଲି ସେ ସୂଚନା ଦେଇଥିଲେ । ସେହିପରି ରାଜ୍ୟରେ ଅକ୍‌ସିଜେନ୍‌ର ଅଭାବ ନାହିଁ ବୋଲି ପ୍ରକାଶ କରି ଭୁବନେଶ୍ବରରେ ଆଜି ଠାରୁ ସେରୋ ସେର୍ଭ ଆରମ୍ଭ କରାଗଲା ବୋଲି ମହାପାତ୍ର ସୂଚନା ଦେଇଥିଲେ ।

କୋଭିଡ ଗାଇଡଲାଇନ୍‌ସ ଅନୁପାଳନ ପାଇଁ ପୋଲିସ ନେଇଥିବା ପଦକ୍ଷେପ ସଂପର୍କରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଥିଲେ। ପୋଲିସ ଓ ଅଗ୍ନିଶମ ସେବା କର୍ମଚାରୀ ବର୍ତ୍ତମାନ ସୁଦ୍ଧା ୪୦୦ ୟୁନିଟ୍‌ ପ୍ଲାଜମା ଦାନ କରିଥିବାରୁ   ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ବୈଠକରେ ଆର୍ଥିକ ପୁନରୁଦ୍ଧାର ସଂପର୍କରେ ହୋଇଥିବା ଆଲୋଚନାରୁ ଜଣାଯାଇଛି ଯେ ରାଜ୍ୟରେ ଖରିଫ ଫସଲ ଅବସ୍ଥା ବହୁତ ଭଲ ଅଛି ଏବଂ ବର୍ତ୍ତମାନ ବର୍ଷା ଲାଗି ନ ରହିଲେ, ଚଳିତ ବର୍ଷ ରେକର୍ଡ ଖରିଫ ଉତ୍ପାଦନ ହେବ । ସେହିପରି ରୋଜଗାର ସୃଷ୍ଟିରେ ପଞ୍ଚାୟତିରାଜ ବିଭାଗ  ଉଲ୍ଲେଖନୀୟ ଭାବେ ଚଳିତବର୍ଷ ୨୦ କୋଟି ମାନବ ଦିବସ ସୃଷ୍ଟି ଲକ୍ଷ୍ୟରୁ ବର୍ତ୍ତମାନ ସୁଦ୍ଧା ୧୦ କୋଟିରୁ ଅଧିକ ମାନବ ଦିବସ ସୃଷ୍ଟି କରିସାରିଛି। ମିଶନ ଶକ୍ତିର ମା ମାନଙ୍କୁ କୋଭିଡ ପରିଚାଳନା କାର୍ଯ୍ୟ ସହିତ ମାସ୍କ ବଣ୍ଟନ ଏବଂ ଅନ୍ୟାନ୍ୟ ଅର୍ଥନୈତିକ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବାରୁ ସେମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରାଯାଇପାରିଛି ।

ସେହିପରି ରାଜ୍ୟର ସମସ୍ତ ବଡ ବଡ ଶିଳ୍ପ ସ୍ବାଭାବିକ ଭାବେ କାର୍ଯ୍ୟ କରୁଥିବା ବେଳେ, ୮୫ ପ୍ରତିଶତ ଏମ୍ଏସିଏମ୍ଇ  କାମ ଆରମ୍ଭ କଲେଣି । ଏମ୍ଏସିଏମ୍ଇ ଉତ୍ପାଦନ ହାର ୮୦ ପ୍ରତିଶତ ରହିଛି । ଏହି ସମୟ ମଧ୍ୟରେ ରାଜ୍ୟରେ ୨୫ ହଜାର କୋଟି ଟଙ୍କାର ୩୬ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦିଆଯାଉଛି 

ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version