ଭୁବନେଶ୍ୱର ୨୭/୧୨ : ପିପିଲି ଗଣଦୁଷ୍କର୍ମ ମାମଲାର ରାୟ ସମ୍ପର୍କରେ ମନ୍ତବ୍ୟ ଦେଇ ଅଡ଼ୁଅରେ ପଡ଼ିଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ । ତାଙ୍କର ଇସ୍ତଫା ଦାବି କରି ମହିଳା କଂଗ୍ରେସ ଆଜି ଭୁବନେଶ୍ୱରସ୍ଥିତ ତାଙ୍କ କ୍ୱାଟର୍ସ ଘେରାଉ କରି ଅଣ୍ଡା ଓ ଟମାଟୋ ମାଡ଼ କରିଛି । ତେଣେ ଏହି ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କ ବହିଷ୍କାର ଦାବି କରି ଆନ୍ଦୋଳନର ଧମକ ଦେଇଛି ବିଜେପି ।
ବୁଧବାର ମହିଳା କଂଗ୍ରେସର କର୍ମୀମାନେ ଆକସ୍ମିକ ଭାବେ ଶ୍ରୀ ମହାରଥୀଙ୍କ କ୍ୱାଟର୍ସରେ ପହଂଚି ପାଟିତୁଣ୍ଡ କରିବା ସହ ତାଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ । ସେମାନେ ତାଙ୍କ ଘର ଭିତରକୁ ଧସେଇ ପଶିବା ପାଇଁ ଉଦ୍ୟମ କରିବାବେଳେ ପୋଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ପାଇଁ ଶ୍ରୀ ମହାରଥୀ ତୁରନ୍ତ କ୍ଷମା ମାଗିବା ଓ ନିଜ ପଦରୁ ଇସ୍ତପା ଦେବାଲାଗି ଆନ୍ଦୋଳନକାରୀମାନେ ଦାବି କରିଥିଲେ । ପୋଲିସ ୪୦ ଜଣ ଆନ୍ଦୋଳନକାରୀଙ୍କୁ ଅଟକ ରଖିବା ସହ କେତେକଙ୍କ ନାମରେ ମାମଲା ରୁଜୁ କରିଛି ।
ଅପରପକ୍ଷରେ ଶ୍ରୀ ମହାରଥୀଙ୍କୁ ୨୪ ଘଣ୍ଟା ମଧ୍ୟରେ ବହିଷ୍କାର କରାନଗଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଧମକ ଦେଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ଓ ଅପରାଜିତା ଷଡଙ୍ଗୀ ପ୍ରମୁଖ କହିଛନ୍ତି ଯେ, ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ସିବିଆଇ ତଦନ୍ତ କରାଯାଉ । ରାଜ୍ୟ ସରକାର ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ସହ ସେମାନଙ୍କ ସଶକ୍ତିକରଣ ପାଇଁ ଦୃଢ଼ ପଦକ୍ଷେପ ନିଆଯାଉଛି ବୋଲି ଡିଣ୍ଡିମ ପିଟୁଥିବାବେଳେ ଶ୍ରୀ ମହାରଥୀଙ୍କ ଏପରି ମନ୍ତବ୍ୟ ଦୁର୍ଭାଗ୍ୟଜନକ । ସୂଚନାଯୋଗ୍ୟ ଯେ, ନିକଟରେ ଅଦାଲତ ଏହି ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ କରି ଦୁଇ ଅଭିଯୁକ୍ତଙ୍କୁ ଖଲାସ କରିଦେବାପରେ ପୀଡିତାଙ୍କୁ ନ୍ୟାୟ ମିଳିଲା ଓ ସତ୍ୟର ଜୟ ହୋଇଛି ବୋଲି ଶ୍ରୀ ମହାରଥୀ ମନ୍ତବ୍ୟ ଦେଇଥିଲେ । ଏହାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଥିବାବେଳେ ତାଙ୍କୁ ଏଥିପାଇ କଟୁ ସମାଲୋଚନା କରାଯାଇଥିଲା ।
ଆଜି ବିଜେପିର ଏକ ପ୍ରତିନିଧି ଦଳ ପିପିଲି ଯାଇ ପୀଡିତାଙ୍କ ପରିବାରକୁ ଭେଟି କଥାବାର୍ତ୍ତା କରିଛନ୍ତି ।