ଭୁବନେଶ୍ୱର ୨୬/୧୨ : ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଯୋଗଁ ବୁଧବାର ଓଡ଼ିଶା ସମେତ ସାରା ଦେଶରେ ବ୍ୟାଙ୍କ ସେବା ଠପ୍ ହୋଇଯାଇଛି । ଦରମା ସଂଶୋଧନ ଦାବି ସହ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀ ସଂଘର ମିଳିତ ମଂଚ ୟୁଏଫ୍ବିୟୁ ପକ୍ଷରୁ ଆଜି ବନ୍ଦ ପାଳନ କରାଯାଇଛି । ଏହି ଧର୍ମଘଟରେ ୨୧ ସରକାରୀ ବ୍ୟାଙ୍କ ଓ ୧୨ ଘରୋଇ ବ୍ୟାଙ୍କ ସାମିଲ ହୋଇଛନ୍ତି । ସର୍ବଭାରତୀୟ ବ୍ୟାଙ୍କ ଅଧିକାରୀ ମହାସଂଘ ଡାକରାରେ ଗତ ୨୧ ତାରିଖରେ ଧର୍ମଘଟ ଯୋଗୁଁ ବ୍ୟାଙ୍କ ସେବା ବନ୍ଦ ରହିଥିଲା । ୨୨ ଓ ୨୩ ତାରିଖ ଛୁଟି ରହିବା ପରେ ୨୪ ତାରିଖରେ ବ୍ୟାଙ୍କ ଖୋଲା ଥିଲା । ୨୫ ତାରିଖରେ ବଡ଼ଦିନ ଛୁଟି ଥିବାବେଳେ ୨୬ରେ ପୁଣି ଥରେ ଧର୍ମଘଟ ଯୋଗୁଁ ବ୍ୟାଙ୍କ ବନ୍ଦ ରହିବା ଫଳରେ ଗ୍ରାହକମାନେ ହଇରାଣ ହରକତ ହୋଇଛନ୍ତି ।