ଖୋର୍ଦ୍ଧା ୨୪/୧୨ : କେନ୍ଦ୍ରର ସବୁପ୍ରକାର ସହାୟତା ସତ୍ତେ୍ୱ ତାହାର ସୁଫଳ ଓଡ଼ିଶାବାସୀଙ୍କ ନିକଟରେ ପହଂଚି ପାରୁନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ କରିଛନ୍ତି । ସେ ରାଜ୍ୟର ବିଜେଡ଼ି ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିନଥିଲେ ହେଁ, ଏଥିପାଇଁ ରାଜ୍ୟ ସରକାର ହିଁ ଦାୟୀ ବୋଲି ସେ ପରୋକ୍ଷରେ ଦୋଷାରୋପ କରିଛନ୍ତି । ଖୋର୍ଦ୍ଧାରେ ଏକ ଜନସଭାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ, ସ୍ୱଚ୍ଛତା କ୍ଷେତ୍ରରେ ମଧ୍ୟ ରାଜ୍ୟ ପଛରେ ରହିଛି । ଜାତୀୟ ସ୍ୱଚ୍ଛତା ହାର ୯୭ ପ୍ରତିଶତ ରହିଥିବାବେଳେ ଓଡ଼ିଶା ଏ କ୍ଷେତ୍ରରେ ଯଥେଷ୍ଟ ପଛରେ ରହିଛି ।
ଓଡ଼ିଶାରେ ଜଳ ସମସ୍ୟା ମଧ୍ୟ କମ ନୁହେଁ । ରୋଜଗାର ସୁବିଧା ନଥିବାରୁ ଯୁବକମାନେ ଘର ଛଡ଼ି ରାଜ୍ୟ ବାହାରକୁ ଯାଉଛନ୍ତି ବୋଲି ଦର୍ଶାଇ ସେ କହିଛନ୍ତି ଯେ, ଚିଟଫଣ୍ଡ ଓ ପିସି ଅପସଂସ୍କୃତି ଓଡ଼ିଶାକୁ କରାୟତ କଲାଣି । ଏଠାକାର ମହିଳା ଓ ଶିଶୁ କୁପୋଷଣର ଶିକାର ହେଉଥିବାବେଳେ ୫୦ ପ୍ରତିଶତ ଡାକ୍ତର ପଦବୀ ଖାଲି ପଡ଼ିଛି । ଏହାର ମୂଳ କାରଣ ଖୋଜି ବାହାର କରିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେବା ସଙ୍ଗେସଙ୍ଗେ ଆଗାମୀ ନିର୍ବାଚନରେ ବିଜେପିକୁ କ୍ଷମତାସୀନ କରାଇବା ଲାଗି ଅନୁରୋଧ ଜଣାଇଛନ୍ତି ।