ରାଜନୀତି

ପେଟ୍ରୋଲିୟମ ହବର ମାନ୍ୟତା ପାଇବ ଓଡ଼ିଶା : ମୋଦୀ

Published

on

ଭୁବନେଶ୍ୱର ୨୪/୧୨ : ଓଡ଼ିଶା ଖୁବ୍ଶୀଘ୍ର ଭାରତର ପେଟ୍ରୋଲିୟମ ହବରେ ପରିଣତ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି । ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଆଇଓସିଏଲ୍ ପାରାଦ୍ୱୀପ-ହାଇଦ୍ରାବାଦ ପାଇପଲାଇନ ଓ ଗେଲ୍ର ବୋକାରୋ- ଅନୁଗୁଳ ଗ୍ୟାସ ପାଇପଲାଇନ୍ର ଶିଳାନ୍ୟାସ କରିବା ଅବସରରେ ସେ କହିଛନ୍ତି ଯେ, ଏହି ଦୁଇ ପାଇପଲାଇନ୍ କାର୍ଯ୍ୟକ୍ଷମ ହେବାପରେ ସମଗ୍ର ଦେଶରେ ଓଡ଼ିଶା ପେଟ୍ରୋଲିୟମ ଦ୍ରବ୍ୟ ଓ ଗ୍ୟାସର ଏକ ପ୍ରମୁଖ କେନ୍ଦ୍ର ପାଲଯିବ । ପାରାଦ୍ୱୀପ-ହାଇଦ୍ରାବାଦ ପାଇପଲାଇନ କାର୍ଯ୍ୟକାରୀ ହେବାପରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ତୈଳ ଯୋଗାଣ ସୁଗମ ଓ ସୁଲଭ ହୋଇପାରିବ । ପ୍ରଧାନମନ୍ତ୍ରୀ ଏହି ଅବସରରେ ୧୪ ହଜାର ୫ ଶହ ୨୩ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଲୋକାର୍ପଣ କରିଛନ୍ତି ।
ଆଜି ବାୟୁସେନାର ଏକ ବିମାନରେ ଭୁବନେଶ୍ୱରରେ ପହଂଚିବା ପରେ ସେ ଆଇଆଇଟି ପରିସରକୁ ଯାଇ ସେଠାରେ ଏକ ଉତ୍ସବରେ ଉଦବୋଧନ ଦେଇଥିଲେ । ସେଠାରେ ହିଁ ସେ ଆଇଆଇଟିର ପୂର୍ଣ୍ଣଙ୍ଗ କ୍ୟାମ୍ପସ ଲୋକାର୍ପଣ କରିବା ସଙ୍ଗେ ସଙ୍ଗେ, ବୋକାରୋ-ଅନୁଗୁଳ ଗ୍ୟାସ ପାଇପଲାଇନ୍ ଓ ପାରାଦ୍ୱୀପ-ହାଇଦ୍ରାବାଦ ପାଇପଲାଇନର ଶିଳାନ୍ୟାସ କରିଥିଲେ । ସେ ଭୁବନେଶ୍ୱରରେ ୧୦୦ ବିଶିଷ୍ଟ ସଂପ୍ରସାରିତ ଇଏସଆଇ ହସ୍ପିଟାଲ ଶୁଭ ଉଦଘାଟନ କରିବା ସହ ପାଇକ ବିଦ୍ରୋହର ସ୍ମାରକୀ ଡାକ ଟିକେଟ ଓ ମୂଦ୍ରା ଉନ୍ମୋଚନ କରିଥିଲେ । ୭୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଇଏସଆଇ ହସ୍ପିଟାଲର ସଂପ୍ରସାରଣ କରାଯାଇଛି ।
ଶ୍ରୀ ମୋଦୀ ଏହି ଅବସରରେ ଚଣ୍ଡିଖୋଲ-ଭଦ୍ରକ, ଟାଙ୍ଗି-ପୁଇଁତଳା ଓ କଟକ-ଅନୁଗୁଳ ଜାତୀୟ ରାଜପଥ ସଂପ୍ରସାରଣ ଯୋଜନାର ଭୂମି ପୂଜନ କରିଥିଲେ । ସେ ପୁଣି ଲଳିତଗିରି ସ୍ଥିତ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟକୁ ଉଦ୍ଘାଟନ କରିବା ସହିତ ଉକ୍ରଳ ବିଶ୍ୱବିଦ୍ୟାୟରେ ବକ୍ସି ଜଗବନ୍ଧୁ ଚେୟାର ପ୍ରତିଷ୍ଠା ଘୋଷଣା କରିଥିଲେ । ଶ୍ରୀ ମୋଦୀ ମଧ୍ୟ ୧୫୮୩ କୋଟି ଟଙ୍କାରେ ପ୍ରତିଷ୍ଠିତ ହେବାକୁ ଯାଉଥିବା ବ୍ରହ୍ମପୁର ଆଇଜରର ଭୂମି ପୂଜନ କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version