ଭୁବନେଶ୍ୱର: ବିଶିଷ୍ଟ ସମାଜବାଦୀ ନେତା ତଥା ପ୍ରଗତିବାଦୀର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ଜଣେ ଛାତ୍ର ନେତା ଭାବରେ ଜୀବନ ଆରମ୍ଭ କରି ପ୍ରଦ୍ୟୁମ୍ନ ବାବୁ ରାଜନୀତି, ସମାଜସେବା ଓ ସାମ୍ବାଦିକତାରେ ତାଙ୍କର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଯାଇଛନ୍ତି। ତାଙ୍କ ଜୀବନରେ ସେ ସବୁବେଳେ ମୂଲ୍ୟବୋଧ ଉପରେ ଗୁରୁତ୍ବ ଦେଇଆସିଛନ୍ତି ଏବଂ ଏଥିରେ ସେ କେବେ ବି ସାଲିସ କରିନାହାନ୍ତି ।”
“ବର୍ତ୍ତମାନ ସମାଜ ଆଗକୁ ବଢୁଛି । ବିଭିନ୍ନ କ୍ଷେତ୍ରରେ ବହୁତ ଶୀଘ୍ର ପରିବର୍ତ୍ତନ ଘଟୁଛି। ପରିବର୍ତ୍ତନ ସହ ଯଦି ଆମେ ମୂଲ୍ୟବୋଧର ସୁରକ୍ଷା ପ୍ରତି ଧ୍ୟାନ ଦେବା, ତେବେ ପରିବର୍ତ୍ତନ ସମସ୍ତଙ୍କ ପାଇଁ ଉପଯୋଗୀ ହୋଇପାରିବ। “
” ପ୍ରଦ୍ୟୁମ୍ନ ବାବୁଙ୍କ ଉଦ୍ୟମ ଓ ଆଦର୍ଶରେ ପ୍ରଗତିବାଦୀ ଏକ ସପ୍ତାହିକରୁ ଆଜି ଏକ ପ୍ରମୁଖ ଦୈନିକରେ ପରିଣତ ହୋଇଛି ଏବଂ ଓଡିଆ ସମ୍ବାଦପତ୍ର ଜଗତରେ ନିଜର ସ୍ଥିତିକୁ ମଜବୁତ କରିପାରିଛି । ମୁଁ ବହୁତ ଖୁସି ଯେ ପ୍ରଗତିବାଦୀ ପକ୍ଷରୁ ଗରିବ ଲୋକଙ୍କୁ ସାହାଯ୍ୟ କରିବାପାଇଁ ପ୍ରଦ୍ୟୁମ୍ନ ବଳ ରିଲିଫ କମିଟି ଗଠନ କରାଯାଇଛି। ଏହି ସାଧୁ ଉଦ୍ୟମ ପାଇଁ ପ୍ରଗତିବାଦୀ ପରିବାରକୁ ବହୁତ ଧନ୍ୟବାଦ।”
“ଖୁସିର କଥା, ଚଳିତ ବର୍ଷ ବିଶିଷ୍ଟ ସମାଜସେବୀ କୁମାରୀ କ୍ରିଷ୍ଣାରାଣୀ ବୋଷ ପ୍ରଦ୍ୟୁମ୍ନ ବଳ ସମ୍ମାନ ପାଉଛନ୍ତି । ତାଙ୍କୁ ମୋର ଅଭିନନ୍ଦନ ଜଣାଉଛି। ସେହିପରି ଜୟନ୍ତୀ କମିଟି ପକ୍ଷରୁ ୧୦ ଜଣ କୋଭିଡ ଯୋଦ୍ଧାଙ୍କୁ ସମ୍ମାନୀତ କରାଯାଉଥିବା ବହୁତ ଖୁସିର କଥା ।”