ନୂଆଦିଲ୍ଲୀ: ପ୍ରିୟଙ୍କାଙ୍କୁ ମିଳିଲା ବିଜେପି ନେତାଙ୍କ ନିମନ୍ତ୍ରଣ। କଂଗ୍ରେସ ନେତ୍ରୀଙ୍କୁ ନୈଶ୍ୟ ଭୋଜି ପାଇଁ ନିମନ୍ତ୍ରଣ ଦେଲେ ବଜେପି ମିଡ଼ିଆ ସେଲର ଅଧ୍ୟକ୍ଷ ତଥା ରାଜ୍ୟସଭା ସଦସ୍ୟ ଅନୀଲ ବାଲୁନି।
ପ୍ରିୟଙ୍କାଙ୍କ ଚା’ ଭୋଜିର ନିମନ୍ତ୍ରଣର ପ୍ରତି ଉତ୍ତରରେ ବାଲୁନି କହିଛନ୍ତି, ” ମୁଁ ନୂଆ ଘରକୁ ଗଲେ ଆପଣ ନିଶ୍ଚୟ ଆସିବେ। ମୁଁ ଆପଣଙ୍କୁ ଉତ୍ତରାଖଣ୍ଡର ସ୍ୱାଦିଷ୍ଟ ବ୍ୟଞ୍ଜନ ପରସି ଦେବି।”
ଦୀର୍ଘ ୨୦ ବର୍ଷ ଧରି ସମ୍ଭ୍ରାନ୍ତ ଲୋଧି ଏଷ୍ଟେଟର ୩୫ ନମ୍ବର ବଙ୍ଗଳାରେ ରହୁଥିବା ପ୍ରିୟଙ୍କା ଅଗଷ୍ଟ ମାସରେ ଘର ଛାଡିବେ। ଘରଟି ବର୍ତମାନ ବାଲୁନିଙ୍କ ନାମରେ ଆଲଟ ହୋଇଛି।
ତେବେ ଘର ଛାଡ଼ିବା ପୂର୍ବରୁ ପ୍ରିୟଙ୍କା ବାଲୁନିଙ୍କୁ ଚା’ ଭୋଜି ପାଇଁ ନିମନ୍ତ୍ରଣ କରିଥିଲେ। ବାଲୁନି ଏହି ନିମନ୍ତ୍ରଣ ପାଇଁ ପ୍ରିୟଙ୍କଙ୍କୁ ଧନ୍ୟବାଦ ଜଣାଇଛନ୍ତି।ହେଲେ କଂଗ୍ରେସ ନେତ୍ରୀଙ୍କର ଏହି ନିମନ୍ତ୍ରଣଙ୍କୁ ଗ୍ରହଣ କରି ପାରୁନାହାନ୍ତି ବୋଲି ନମ୍ରତାର ସହ ଜଣାଇଛନ୍ତି। କରୋନାର ମହାମାରୀ ଯୋଗୁଁ ଏବଂ ନିଜର ସ୍ୱାସ୍ଥ୍ୟ ଅବସ୍ଥା ଦୃଷ୍ଟିରୁ ସେ ବାହାରକୁ ବାହାରୁ ନାହଁନ୍ତି ବୋଲି ବାଲୁନି ତାଙ୍କ ପତ୍ରରେ ଲେଖିଛନ୍ତି।
ବାଲୁନି କର୍କଟ ରୋଗର ଏକ ସଫଳ ଚିକିତ୍ସା ସାରି ବର୍ତ୍ତମାନ ଫେରିଛନ୍ତି।
ଚିଠିରେ ବାଲୁନି ପ୍ରିୟଙ୍କଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ୩୫ ଲୋଧି ଏଷ୍ଟେଟକୁ ଯିବାପରେ ସେ ତାଙ୍କୁ ନୈଶ୍ୟ ଭୋଜି ପାଇଁ ନିଶ୍ଚୟ ନିମନ୍ତ୍ରଣ କରିବେ ଏବଂ ଉତ୍ତରାଖଣ୍ଡର ପାରମ୍ପରିକ ଖାଦ୍ୟରେ ଆପ୍ୟାୟିତ କରିବେ।