ନୂଆଦିଲ୍ଲୀ ୨/୫ : ପ୍ରଧାନମନ୍ତ୍ରୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଭୀଷଣ ସାମୁଦ୍ରିକ ବାତ୍ୟା ଫନିର ମୁକାବିଲା ପାଇଁ କରାଯାଉଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହି ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ, ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ଶାସନ ସଚିବ, ଗୃହ ସଚିବ, ଭାରତୀୟ ପାଣିପାଗ ବିଭାଗ, ଜାତୀୟ ବିପର୍ୟ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ), ଜାତୀୟ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ଓ ପିଏମଓର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।
ଏହି ଅବସରରେ ଅଧିକାରୀମାନେ ଫନିର ଗତିପଥ ଓ ତାହାର ପ୍ରଭାବ ଉପରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଓଡ଼ିଶା ଓ ଅନ୍ୟ ରାଜ୍ୟ ସରକାରମାନଙ୍କ ଦ୍ବାରା କରାଯାଉଥିବା ମୁକାବିଲା ପ୍ରସ୍ତୁତି ଉପରେ ମଧ୍ୟ ମୋଦିଙ୍କୁ ସୂଚନା ଦିଆଯାଇଥିଲା । ଏହି ବାତ୍ୟା ପାଇଁ ସେନା,ନୌସେନା ଓ ଏନଡିଆରଏଫକୁ ପ୍ରସ୍ତୁତ ରଖାଯାଇଛି ବୋଲି ତାଙ୍କୁ ଅବଗତ କରାଯାଇଛି ।