ଦେଶ ବିଦେଶ

‘ଫୋନି’ ମୁକାବିଲା : ଓଡିଶାକୁ ପ୍ରଶଂସା କଲେ ଜାତିସଂଘ ଓ ପ୍ରଧାନମନ୍ତ୍ରୀ

Published

on

ଭୁବନେଶ୍ୱର ୯/୫ : ‘ଫୋନି’ ସ୍ଥଳଭାଗ ଛୁଇଁବା ପୂର୍ବରୁ ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରି ଇତିହାସ ରଚିଥିଲା ଓଡିଶା । ବାତ୍ୟା ‘ଫୋନି’ ପୂର୍ବରୁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ନେଇ ସାରା ବିଶ୍ୱରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ । ସାରା ଦୁନିଆ ପାଇଁ ଓଡିଶା ଏକ ଉଦାହରଣ ବୋଲି କହଥିଲେ ମିଳିତ ଜାତିସଂଘ । ଏପରିକି ନିକଟରେ ବାତ୍ୟାର ସମୀକ୍ଷା ପାଇଁ ଆସିଥିବା ବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ତାରିଫ୍ କରିଥିଲେ ।
୧୯୯୯ ମସିହା ମହାବାତ୍ୟା ସମୟରେ ଯେଉଁ କାରଣ ପାଇଁ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ, ଏଥର ବାତ୍ୟା ବେଳେ ତାହା ଉପରେ ଫୋକସ କରିଥିଲେ ରାଜ୍ୟ ସରକାର । ବାତ୍ୟା ‘ଫୋନି’ ସ୍ଥଳଭାଗ ଛୁଇଁବା ପୂର୍ବରୁ ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା । ଫୋନି ଆସିଲା ଆଉ ସବୁ କିଛି ଉଜାଡି ଦେଇଗଲା । କିନ୍ତୁ ବଞ୍ଚିଗଲା ଲକ୍ଷ ଲକ୍ଷ ଜୀବନ । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ବିଶ୍ୱରୁ ସାଉଁଟୁଛନ୍ତି ବାହାବା ।
ଓଡିଶାର ପ୍ରସ୍ତୁତି ନେଇ ମିଳିତ ଜାତିସଂଘ କହିଛନ୍ତି, ‘ଓଡିଶାର ଶୁନ୍ୟ ମୃତାହତ ନୀତି ବା ଜିରୋ କାଜୁଆଲିଟି ଏବଂ ବାତ୍ୟା ଆସିବା ପୂର୍ବରୁ ଓଡିଶାର ପ୍ରସ୍ତୁତି ଦେଶ ଓ ଦୁନିଆ ପାଇଁ ଏକ ଉଦାରହଣ ।’
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଜ୍ୟ ସରକାରଙ୍କ ପ୍ରଂଶସା କରିଛନ୍ତି । ମୋଦି କହିଛନ୍ତି, ‘ନବୀନ ବାବୁ ବହୁତ ଭଲ କାମ କରିଛନ୍ତି । ଓଡିଶା ସମସ୍ତ ରାଜ୍ୟ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିବା କିଛି କମ୍ କଥା ନୁହେଁ ।’
ଅନ୍ତର୍ଜାତୀୟ ଗଣମାଧ୍ୟମ ନ୍ୟୁୱର୍କ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ‘୧୨ ଲକ୍ଷ ଲୋକଙ୍କୁ ମାତ୍ର ୨୪ ଘଣ୍ଟା ମଧ୍ୟରେ ଉତ୍ତମ ଯୋଜନାନୁଯାୟୀ ସୁରକ୍ଷିତ ସ୍ଥାନାନ୍ତରଣ କରି ଓଡିଶା ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ।’ ସେହିପରି ଜାତୀୟ ଗଣମାଧ୍ୟମ ଏନଡି ଟିଭିରେ ପ୍ରସାରିତ ଖବର ଅନୁସାରେ, ‘ଓଡିଶା ବାତ୍ୟା ‘ଫୋନି’କୁ ନିଜ ଆଖିରେ ଦେଖିଲା । ଆଉ ତାକୁ ଦୃଢତାର ସହ ମୁକାବିଲା କରି ବିଜୟ ଲାଭ କଲା ।

Leave a Reply

Your email address will not be published. Required fields are marked *

Trending

Exit mobile version