ଦିଲ୍ଲୀ ୧୧/୬ : ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଧାରଣ ନିର୍ବାଚନରେ ପରସ୍ପରକୁ ଟାର୍ଗେଟ କରିବା ପରେ ଆଜି ଥିଲା ପ୍ରଥମ ଭେଟଘାଟ କାର୍ୟ୍ୟକ୍ରମ । ପୂର୍ବରୁ ନବୀନ ଦେଇଥିବା ସୂଚନା ଅନୁସାରେ ମୋଦିଙ୍କ ସହ ଫୋନି ସମ୍ପର୍କୀତ କ୍ଷୟକ୍ଷତି ଓ କେନ୍ଦ୍ରର ସହାୟତାକୁ ନେଇ ନବୀନ ମୋଦିଙ୍କ ସହ ଆଲୋଚନା କରିଛନ୍ତି । ବିଜେଡିକୁ ଉପବାଚସ୍ପତି ପଦ ନେଇ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ଆୟୁଷ୍ମାନ ଯୋଜନାରେ ଓଡିଶା ସାମିଲ ହେବା ନେଇ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ ବୋଲି କୁହାଯାଉଥିଲା । ସେହିପରି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ ବୋଲି ଚର୍ଚ୍ଚା ହେଉଥିଲା ।
ତେବେ ଆଲୋଚନାରେ କେଉଁ ସବୁ ପ୍ରସଙ୍ଗ ସ୍ଥାନ ପାଇଛି ଆଉ କିଛି ସମୟ ମଧ୍ୟରେ ସ୍ପଷ୍ଟ ହୋଇଯିବ । ସାଧାରଣ ନିର୍ବାଚନ ଶେଷ ହେବା ପରେ ଓଡିଶା ଉପକୂଳରେ ମାଡ କରିଥିଲା ଫୋନି ବାତ୍ୟା ।ତେବେ ଫୋନି ମୁକାବିଲା ନେଇ ରାଜ୍ୟରେ ବିଜେପି ସେଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିନଥିଲା । ଚର୍ଚ୍ଚା ହେଉଥିଲା ବିଜେଡିର ଆବଶ୍ୟକତାକୁ ଆଖି ଆଗରେ ରଖି କେନ୍ଦ୍ର ବିଜେପି ନବୀନ କିମ୍ବା ବିଜେଡି ଉପରେ ନରମ ରହିଥିଲା ।