Nation

ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡର ମୁକାବିଲା ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଏନସିଏମସିର ବୈଠକ ଅନୁଷ୍ଠିତ

Published

on

ଭୁବନେଶ୍ୱର: କ୍ୟାବିନେଟ ସଚିବ ରାଜିବ ଗୌବାଙ୍କ ଅଧ୍ୟକ୍ଷତାରେ ଥିବା ଜାତୀୟ ସଙ୍କଟ ପରିଚାଳନା କମିଟି (ଏନସିଏମସି) ଶୁକ୍ରବାର ଏଠାରେ ଏକ ବୈଠକରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ଜନିତ ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ରୀୟ ମନ୍ତ୍ରଣାଳୟ / ଏଜେନ୍ସି ଏବଂ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ବଙ୍ଗୋପସାଗରରେ ଥିବା ଗଭୀର ଅବପାତର ସ୍ଥିତି ବିଷୟରେ କମିଟିକୁ ସୂଚନା ଦେଇଛନ୍ତି ଯାହା ଆଜି ସନ୍ଧ୍ୟା ସୁଦ୍ଧା ଏକ ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ରହିଛି । ସେପ୍ଟେମ୍ବର ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ୭୫ରୁ ୮୫ କିଲୋମିଟର ବେଗରେ ଏବଂ ସ୍ଥଳ ବିଶେଷରେ ଘଣ୍ଟାପ୍ରତି ୯୫ କିଲୋମିଟର ବେଗରେ ପବନ ଏବଂ ପ୍ରବଳ ବର୍ଷା ସହିତ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି । ଏହା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌, ବିଜୟନଗରମ୍ ଏବଂ ବିଶାଖାପାଟନମ୍ ଏବଂ ଓଡିଶାର ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।

ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟ ସଚିବମାନେ ଘୂର୍ଣ୍ଣିଝଡ ପ୍ରଭାବରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ନିଆଯାଉଥିବା ପ୍ରସ୍ତୁତି ସଂକ୍ରାନ୍ତରେ କମିଟିକୁ ଅବଗତ କରାଇବା ସହିତ ଟେଲିଯୋଗାଯୋଗ ଏବଂ ଶକ୍ତି ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ଗୁଡିକର ସର୍ବନିମ୍ନ କ୍ଷତି ପହଞ୍ଚାଇବା ପାଇଁ ନିଆଯାଉଥିବା ପଦକ୍ଷେପର ସୂଚନା ଦେଇଥିଲେ । ଘୂର୍ଣ୍ଣିଝଡ ପରେ କୋଭିଡ-୧୯ ମାର୍ଗଦର୍ଶିକା ପାଳନ ନିଶ୍ଚିତ କରିବାକୁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି ।

ଏନ୍‍ଡିଆରଏଫ୍‍ ଏହି ରାଜ୍ୟଗୁଡିକରେ ୧୮ ଟି ଟିମ୍ ନିୟୋଜିତ କରିଛି ଏବଂ ଅତିରିକ୍ତ ଦଳ ମଧ୍ୟ ପ୍ରସ୍ତୁତ ଅଛି । ଜାହାଜ ଏବଂ ବିମାନ ସହିତ ସେନା ଏବଂ ନୌସେନାର ଉଦ୍ଧାରକାରୀ ଏବଂ ରିଲିଫ ଦଳ ମଧ୍ୟ ନିୟୋଜିତ ହୋଇଛନ୍ତି ।

ରାଜ୍ୟ ତଥା କେନ୍ଦ୍ରୀୟ ଏଜେନ୍ସିଗୁଡିକର ପ୍ରସ୍ତୁତି ପଦକ୍ଷେପ ସମୀକ୍ଷା କରି ଶ୍ରୀ ରାଜୀବ ଗୌବା କହିଛନ୍ତି ଯେ ଘୂର୍ଣ୍ଣିଝଡ ଲ୍ୟାଣ୍ଡଫଲ ହେବା ପୂର୍ବରୁ ରାଜ୍ୟ ସରକାରଙ୍କ ସଂପୃକ୍ତ କର୍ତ୍ତୃପକ୍ଷ ତଥା କେନ୍ଦ୍ରର ସଂପୃକ୍ତ ଏଜେନ୍ସିଗୁଡିକ ଦ୍ୱାରା ସମସ୍ତ ପ୍ରତିଷେଧକ ତଥା ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ସହିତ ମୃତ୍ୟୁ ସଂଖ୍ୟାକୁ ଶୂନ ପାଖାପାଖି ରଖିବା ଏବଂ ସମ୍ପତ୍ତି ଏବଂ ଭିତ୍ତିଭୂମିର କ୍ଷତି କମ୍ କରିବାକୁ ପଦକ୍ଷେପ ନିଆଯିବା ଉଚିତ୍‍ । କ୍ୟାବିନେଟ ସଚିବ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସମସ୍ତ କେନ୍ଦ୍ରୀୟ ଏଜେନ୍ସି ପ୍ରସ୍ତୁତ ଏବଂ ସହାୟତା ପାଇଁ ଉପଲବ୍ଧ ହେବେ ।

 

ଏହି ବୈଠକରେ ଓଡିଶା ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟ ସଚିବ, ଗୃହ ଓ ଶକ୍ତି ମନ୍ତ୍ରଣାଳୟର ସଚିବମାନେ ଯୋଗ ଦେଇଥିଲେ । ଏହି ବୈଠକରେ ସଦସ୍ୟ (ଟେଲିକମ୍‌), ଡିଜି ଏନଡିଆରଏଫ, ଡିଜି ଆଇଏମଡି, ସିଆଇଏସସି ଆଇଡିଏସ୍ ଏବଂ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version