ରାଜ୍ୟ

ବଜାରରେ ବିଲାତି ଚାହିଦା ନାହିଁ : ବ୍ଲକ୍ ସମ୍ମୁଖରେ ଚାଷୀଙ୍କ ପ୍ରତିବାଦ

Published

on

ତେଲକୋଇ ୨୩/୨ : ବଜାରରେ ବିଲାତି ଚାହିଦା ନାହିଁ  କିଲୋ ୨ ଟଙ୍କାରେ ଦେଲେ ବି କେହି ନେଉନାହାନ୍ତି । ପରିବହନ ଖର୍ଚ ଉଠୁ ନଥିବାରୁ ଅନେକ ଚାଷୀଙ୍କ କ୍ଷେତରେ ବିଲାତି ପଡ଼ିରହି ପଚିଯାଉଛି । ଏଭଳି ସ୍ଥିତିରେ ଆଜି କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର କେତେକ ବିଲାତି ଚାଷୀ ସାହସ କରି ଭଡ଼ା ଗାଡ଼ିରେ ତେଲକୋଇ ସାପ୍ତାହିକ ହାଟକୁ ବିଲାତି ନେଇ ଆସିଥିଲେ । ହେଲେ ତାହା ବିକ୍ରି ନହେବାରୁ ବ୍ଲକ କାର‌୍ୟ୍ୟାଳୟ ଆଗରେ ଢାଳି ପ୍ରତିବାଦ କରିଛନ୍ତି । ତେଲକୋଇ ବ୍ଲକର ରାମଚନ୍ଦ୍ରପୁର, ବେଣା, କମଳାଙ୍ଗ, କୁମୁଣ୍ଡୁ, ବାଙ୍ଗୁରୁପାଳ, ବାର୍‌ହାଦେବତା, ଖୁଣ୍ଟପଡ଼ା ଓ ଦୁର୍ଲଭପୁର ଅଞ୍ଚଳରେ ଚାଷୀ ବିଲାତି ଚାଷ କରିଛନ୍ତି । ଏବେ ବିଲରେ ବିଲାତି ପାଚିବା ଆରମ୍ଭ ହୋଇଯାଇଛି । ପ୍ରତିଦିନ ବଜାରକୁ ଏହିସବୁ ଅଞ୍ଚଳରୁ ପାଖାପାଖି ଏକ ଟନ୍‌ ବିଲାତି ଆସୁଛି । ସେହିପରି ତେଲକୋଇ ସାପ୍ତାହିକ ହାଟକୁ ତେଲକୋଇ ବ୍ଲକ ସମେତ ପାଲଲହଡ଼ା ଓ ବାରକୋଟ ଅଞ୍ଚଳରୁ ବିଲାତି ଆସୁଛି । ହାଟକୁ ପ୍ରଚୁର ବିଲାତି ଆସୁଥିବାରୁ ଚାଷୀ କିଲୋ ପିଛା ଦର ଟଙ୍କେ କିମ୍ବା ଅତିବେଶୀରେ ୨ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି। ଏହା ସତ୍ବେ ବି ଲୋକେ ବିଲାତି ଦେଖି ମୁହଁ ମୋଡ଼ୁଛନ୍ତି । ଗତକାଲି କତରାପାଲି ଗ୍ରାମ ବାଲିସାହିର ବିଜୟ ମୁଣ୍ଡା, ବିନୋଦ ମୁଣ୍ଡା, ରାମଚନ୍ଦ୍ରପୁର ଗ୍ରାମର ତ୍ରିନାଥ ସାହୁ ଏକ ପିକଅପ୍ ଗାଡ଼ିରେ ତେଲକୋଇ ସାପ୍ତାହିକ ହାଟକୁ ବିଲାତି ଆଣିଥିଲେ । ହେଲେ ବିକ୍ରି ନହେବାରୁ ସେମାନେ ବ୍ଲକ କାର‌୍ୟ୍ୟାଳୟ ଆଗରେ ଢ଼ାଳି ପ୍ରତିବାଦ କରିଥିଲେ । ସରକାର ବଜାର ବ୍ୟବସ୍ଥା ନକରିବାରୁ ଅମଳ ଫସଲର ଉଚିତ ମୂଲ୍ୟ ମିଳୁନି । ସ୍ଥାନୀୟ ଅଞ୍ଚଳରେ ଅମଳ ହେଉଥିବା ବିଲାତିର ବିକ୍ରିବଟା ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥା ସାଙ୍ଗକୁ ବିଲାତିରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ପ୍ରତିଷ୍ଠା କରିବାକୁ ଚାଷୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version