ରାଜ୍ୟ

ବନାଞ୍ଚଳ କାର‌୍ୟ୍ୟାଳୟରୁ ବନ୍ଧୁକ ଲୁଟି ନେଲେ ମାଓବାଦୀ

Published

on

ନୟାଗଡ଼ ୨୪/୪ : ବାଣିଗୋଛା ପୂର୍ବ ବନ୍ୟପ୍ରାଣୀ ବନାଞ୍ଚଳ କାର‌୍ୟ୍ୟାଳୟରେ ମାଓବାଦୀମାନେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ୪ଟି ଦେଶୀ ବନ୍ଧୁକ ଲୁୁଟିନେଇଥିବା ଅଭିଯୋଗ ହୋଇଛି ।
ଫରେଷ୍ଟର୍ ହେମନ୍ତ କୁମାର କାଣ୍ଡିଙ୍କ କଥା ଅନୁସାରେ, ସମୁଦାୟ ସାତ ଜଣ ମାଓବାଦୀ ଏଥିରେ ସାମିଲ ହୋଇଥିଲେ। ରାତି ପ୍ରାୟ ୯: ୧୦ରେ ସେମାନେ କୁଆଁରିଆଠାରୁ ବିଜୁଳି କାଟି ଦେଲେ। ଶିଉଳି ରଙ୍ଗର ୟୁନିଫର୍ମ ପିନ୍ଧିଥିବା ମାଓବାଦୀମାନେ ହାତରେ ବନ୍ଧୁକ ଓ ଭୁଜାଲି ଧରି ୬ ଜଣ ଭିତରେ ପଶିଲେ ଓ ଜଣେ ବାହାରେ ଫାଟକ ପାଖରେ ଜଗି ରହିଲେ। ଛଅ ଜଣ ହିନ୍ଦୀ ଭାଷାରେ କଥା କହୁଥିବା ବେଳେ ଅନ୍ୟ ଜଣେ ଓଡ଼ିଆ ଭାଷାରେ କଥା କହୁଥିଲେ। ତେବେ କାର‌୍ୟ୍ୟାଳୟକୁ ସଂଲଗ୍ନ ହୋଇଥିବା କ୍ୱାର୍ଟସ୍ରେ ଫରେଷ୍ଟର୍ କାଣ୍ଡି ଓ ତାଙ୍କ ପତ୍ନୀ ରହନ୍ତି। ଦଶପଲ୍ଲାରେ ଲଙ୍କାପୋଡ଼ି ଉତ୍ସବ ଚାଲିଥିବାରୁ ତାଙ୍କର ଶାଳକ ଓ ତାଙ୍କ ପତ୍ନୀ ଏବଂ ସେମାନଙ୍କର ଦୁଇ ପିଲା ଆସି ଗତକାଲି କ୍ୱାର୍ଟର୍ସରେ ଥିଲେ। ମାଓବାଦୀମାନେ ପ୍ରଥମେ ଆସି ସେମାନଙ୍କ ପାଖରେ ଥିବା ୬ଟିଯାକ ମୋବାଇଲ୍ ଛଡ଼ାଇ ନେଇଥିଲେ। ଧମକ ଦେଇ କହିଲେ କି, ଚୁପ୍‌ଚାପ୍‌ ବସ ନଚେତ ଗୁଳିମାରି ଉଡ଼ାଇ ଦେବୁ।
ଅଫିସ ଚାବି ଦିଅ, ଜବତ ହୋଇଥିବା ବନ୍ଧୁକଗୁଡ଼ିକୁ ଆମେ ନେଇଯିବୁ କହି ସେମାନେ କାଣ୍ଡିଙ୍କୁ ଚାବି ମାଗିଥିଲେ। ତାଙ୍କ ପାଖରେ ଚାବି ନାହିଁ କି, ବନ୍ଧୁକ ନାହିଁ ବୋଲି ସେ କହିବାରୁ ମାଓବାଦୀମାନେ ଅଫିସର ତାଲା ଭାଙ୍ଗି ଭିତରେ ପଶିଲେ। ଅଫିସର ଆଲମିରା ଏବଂ ଅନ୍ୟାନ୍ୟ ଜିନିଷ ଭଙ୍ଗାରୁଜା କରି ତଲାସ କରିବା ପରେ ସେଠାରେ ଥିବା ୪ଟି ଦେଶୀ ବନ୍ଧୁକ ନେଇ କିଛି ମାଓ ପୋଷ୍ଟର୍ ପକାଇ ସେମାନେ ଫେରିଯାଇଥିଲେ।
ଫରେଷ୍ଟର୍ ଲେଙ୍କା ମୋବାଇଲ୍ ମାଗିବାରୁ ସେମାନେ ଖଣ୍ଡେ ଦୂରରେ ଥିବା ଅନ୍ୟ ଏକ ସରକାରୀ କ୍ୱାର୍ଟର୍ସରେ ରହୁଥିବା ଲୋକଙ୍କ ଘରେ ସେଗୁଡ଼ିକୁ ରଖି ଦେଇ ଚାଲିଗଲେ। ସେମାନେ କୁଆଁରିଆ ମୃଗବିହାର ଯାଏଁ ଚାଲି ଚାଲି ଯାଇ ଠିଆ ହୋଇଥିଲେ। ଗୋଟାଏ ଅଟୋରିକ୍ସା ଆସିବାରୁ ସେଥିରେ ବସି ସେମାନେ ଘଟଣାସ୍ଥଳରୁ ପଳାଇଗଲେ। ଫରେଷ୍ଟର୍ କାଣ୍ଡି ଏ ସଂକ୍ରାନ୍ତରେ ଥାନାରେ ସୂଚନା ଦେଇଥିବା କଥା କହିଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version