ବରଗଡ଼ ୧୫/୩ : ନିର୍ବାଚନୀ ବିଗୁଲ ବାଜିବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସି ବରଗଡ଼ର ସରସରା ପଡିଆରେ ଜନସଭାକୁ ସମ୍ବୋଧିତ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ନବୀନ କହିଥିଲେ ସାରା ରାଜ୍ୟରେ ଶୀତଳ ଭଣ୍ଡାର କରିବେ ମାତ୍ର ହେଲା କଣ। ଏହି ପରି ଓଡ଼ିଶା ଏବେ ବେରୋଜଗାରର ସେଣ୍ଟର ହୋଇ ଯାଇଛି। ଅନ୍ୟ ପଟେ ମୋଦୀ ବି ଚାଷୀଙ୍କ ପାଇଁ ବଡ଼ ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ଚାଷୀ ନୁହେଁ ତାଙ୍କର ବଡ଼ ବଡ଼ ମିତ୍ରଙ୍କ ପାଇଁ ଋଣ ଛାଡ଼ କଲେ ବୋଲି ରାହୁଲ କହିଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବା ସହିତ ରାହୁଲ ନିକଟରେ ତିନୋଟି ରାଜ୍ୟରେ ନିଜ ସରକାରଙ୍କ ଉପଲବ୍ଧି ବଖାଣିଥିଲେ।
ରାହୁଲ କହିଛନ୍ତି ଯେ ବରଗଡ଼ ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିଲା। ମାତ୍ର ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ଆଜି ଏଠାରେ ଚାଷୀ ଦୈନିକ ଆତ୍ମହତ୍ୟା କରୁଛନ୍ତି। କୌଣସି ଏମିତି ଦିନ ନାହିଁ ଯେଉଁ ଦିନ ଚାଷୀ ଆତ୍ମହତ୍ୟା କରୁନି। ନବୀନ କହିଥିଲେ ସାରା ରାଜ୍ୟରେ ଶୀତଳ ଭଣ୍ଡାର କରିବେ, ମାତ୍ର ଦୀର୍ଘ ୧୯ ବର୍ଷର ଶାସନରେ ମଧ୍ୟ ନବୀନ ସରକାର ଆବଶ୍ୟକ ଶୀତଳ ଭଣ୍ଡାର ମଧ୍ୟ କରି ପାରିଲା ନାହିଁ।
ଆମେ ଯାହା ପ୍ରତିଶ୍ରୁତି ଦେଉ ତାହା ପାଳନ କରୁ। ଆମେ ଭୋଟ୍ ପୂର୍ବରୁ ଛତିଶଗଡ଼ରେ ୩ଟି ପ୍ରତିଶ୍ରୁତି ଦେଇଥିଲୁ। ଛତିଶଗଡ଼ରେ ୧୦ ଦିନ ମଧ୍ୟରେ ଋଣ ଛାଡ଼ କରିବୁ କହିଥିଲୁ, ତାହା ୬ ଘଣ୍ଟାରେ ପୂରଣ କଲୁ। ମାସକରେ ବସ୍ତରରେ ଥିବା ଟାଟା ଜମି ଚାଷୀଙ୍କୁ ଫେରାଇଲୁ। ଓଡ଼ିଶା ବେରୋଜଗାରୀ ସେଣ୍ଟର ହୋଇଥିବା ରାହୁଲ କହିଛନ୍ତି। ରାଜ୍ୟର ଯୁବକ ମାନେ କାମ ନପାଇ ବାହାରକୁ ଯାଉଛନ୍ତି। ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆମ ସରକାରର ଲକ୍ଷ୍ୟ ଗରିବକୁ ସାହାଯ୍ୟ କରିବା। ମାତ୍ର ମୋଦୀ ଓ ନବୀନ ଶିକ୍ଷା ଓ ସ୍ଵାସ୍ଥ୍ୟକୁ ଘରୋଇକରଣ କରି ଦେଇଛନ୍ତି।