ବରଗଡ଼ ୨୧/୨ : ବରଗଡ଼ରେ ଆୟୋଜିତ ଚାଷୀ ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ୟ୍ୟାୟ କାଳିଆ ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି । ଏହାକୁ କେହି ରୋକି ପାରିବେନ ନାହିଁ । ଏଥିରେ ସାମିଲ ହେବାକୁ ଥିବା ହିତାଧିକାରୀ ଯେପରି ଟଙ୍କା ପାଇବାରୁ ବଞ୍ଚିତ ନ ହୁଅନ୍ତ ସେଥିପ୍ରତି ସେ ନଜର ରଖିବେ ବୋଲି କହିଛନ୍ତି ।
ଇଚ୍ଛାପାଲିରେ ଆୟୋଜିତ ସମାବେଶରେ କାଳିଆ ଯୋଜନାରେ ଚାଷୀଙ୍କୁ ଦ୍ୱିତୀୟ ପର୍ୟ୍ୟାୟ ଟଙ୍କା ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଦ୍ୱିତୀୟ ପର୍ୟ୍ୟାୟରେ ପ୍ରାୟ ୧୪ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯାଇଛି । ସେହିପରି ପ୍ରଧାନମନ୍ତ୍ରୀଙ୍କ କିଷାନ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏଥିରେ କ୍ଷୁଦ୍ର ଚାଷୀ, ଭାଗ ଚାଷୀଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ । ଏମାନଙ୍କୁ ପିଏମ୍ କିଷାନ ଯୋଜନାରେ ସାମିଲ କରିବାକୁ ଦାବି କରିଛନ୍ତି । ଚାଷୀଙ୍କୁ ମିଳୁଥିବା ୬ ହଜାର ଟଙ୍କା ପର୍ୟ୍ୟାପ୍ତ ନୁହେଁ ୧୦ ହଜାର ଟଙ୍କା ଦେବାକୁ ଦାବି କରିଛନ୍ତି ।
ଏହା ସହିତ ଆଜି ବରଗଡ ଜିଲ୍ଲା ଗସ୍ତ ଅବସରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ୫୧୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ୧୭ଟି ପ୍ରକଳ୍ପର ଉଦ୍ଘାଟନ ଏବଂ ୧୪୯୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ୩୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।