ରାଜ୍ୟ

ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା : ପ୍ରତି ଘରକୁ ମିଳିବ ୨ ଡଷ୍ଟବିନ୍

Published

on

ଭୁବନେଶ୍ୱର ୧୨/୬ : ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା କରାଯିବ। ଏଥିପାଇଁ ପ୍ରତି ଘରକୁ ଦିଆଯିବ ୨ଟି ଭିନ୍ନ ଭିନ୍ନ ରଙ୍ଗର ପରିମଳ ଡବା ବା ଡଷ୍ଟବିନ୍। ଗୋଟିଏ ରଙ୍ଗର ଡଷ୍ଟବିନ୍ରେ ତରଳ ବର୍ଜ୍ୟ ଓ ଅନ୍ୟଟିରେ କଠିନ ବର୍ଜ୍ୟବସ୍ତୁ ରଖାଯିବ। ସେହି ବର୍ଜ୍ୟବସ୍ତୁକୁ ପୌର ପ୍ରଶାସନ ପକ୍ଷରୁ ସଂଗ୍ରହ କରି ଖାଲୁଆ ସ୍ଥାନ ବା ସାନିଟାରି ଲ୍ୟାଣ୍ଡଫିଲ୍ରେ ପକାଯିବ। ପ୍ରତ୍ୟେକ ପୌର ପ୍ରଶାସନ ନିଜ ପାଣ୍ଠିରୁ ହେଉ ବା ଅର୍ଥ କମିସନ ଅନୁଦାନ ପାଣ୍ଠିରୁ ଏହି ଡଷ୍ଟବିନ୍ ପ୍ରତି ଘରକୁ ଯୋଗାଇବେ। କେବଳ ସେତିକି ନୁହେଁ, ପ୍ରତ୍ୟେକ ସହରାଞ୍ଚଳରେ ଖାଲୁଆ ସ୍ଥାନ ବା ସାନିଟାରି ଲ୍ୟାଣ୍ଡଫିଲ୍ ଚିହ୍ନଟ ହେବ।
ଗତକାଲି ରାଜ୍ୟ ସଚିବାଳୟରୁ ଭିଡିଓ ଯୋଗାଯୋଗ ମାଧ୍ୟମରେ ବିଭିନ୍ନ ସହରର କଠିନ ବର୍ଜ୍ୟ ପରିଚାଳନା ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଜିଲ୍ଲାପାଳମାନଙ୍କୁ ଏଭଳି ନିର୍ଦେଶ ଦେଇଥିଲେ। ସମୀକ୍ଷା ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ବିଭିନ୍ନ ସହରାଞ୍ଚଳର ତଥ୍ୟ ଓ ବର୍ଜ୍ୟବସ୍ତୁ ପରିଚାଳନା ସଂପର୍କିତ ବିଷୟବସ୍ତୁ ଉପସ୍ଥାପନ କରିଥିଲେ। ପ୍ରତି ଘରୁ ବର୍ଜ୍ୟ ସଂଗ୍ରହ ଏବଂ ବର୍ଜ୍ୟ ସୃଷ୍ଟି ହେଉଥିବା ସ୍ତରରେ ତାହାର ପୃଥକୀକରଣ କାର‌୍ୟ୍ୟକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ।
ସମୀକ୍ଷା ବୈଠକର ନିଷ୍ପତ୍ତି ଅନୁଯାୟୀ ପ୍ରତି ସହରାଞ୍ଚଳରେ କମ୍ପୋଷ୍ଟ୍ ପ୍ଲାଣ୍ଟ୍, ବର୍ଜ୍ୟବସ୍ତୁର ପୁନଃ ଉପଯୋଗିତା ସୁବିଧା ପ୍ଲାଣ୍ଟ୍, ସାନିଟାରି ଲ୍ୟାଣ୍ଡ୍‌ଫିଲ୍‌ ଓ ନିର୍ମାଣ ବର୍ଜ୍ୟ ପକାଇବା ପାଇଁ ଖାଲୁଆ ସ୍ଥାନ ଚିହ୍ନଟ କରାଯିବ। ଏଥିପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଆଗାମୀ ୨୦ ତାରିଖ ସୁଦ୍ଧା ସେମାନେ ଜାଗା ଚିହ୍ନଟ କରି ବିଭାଗକୁ ଜଣାଇବେ। ଘରୋଇ ବାସଗୃହ, ଅନୁଷ୍ଠାନ, ବ୍ୟାବସାୟିକ ପ୍ରତିଷ୍ଠାନ ଓ ବଜାର ଆଦି ବର୍ଜ୍ୟବସ୍ତୁ ସୃଷ୍ଟି ହେଉଥିବା ସ୍ଥାନରେ ହିଁ ବର୍ଜ୍ୟବସ୍ତୁକୁ ପୃଥକୀକରଣ କରାଯିବ। ଏଥିପାଇଁ ଘରୋଇ ବାସଗୃହକୁ କଠିନ ଏବଂ ତରଳ ବର୍ଜ୍ୟ ନିମନ୍ତେ ଦୁଇଟି ଭିନ୍ନ ଭିନ୍ନ ରଂଗର ଡଷ୍ଟବିନ୍ ଯୋଗାଇ ଦିଆଯିବ। ସଂପୃକ୍ତ ପୌର ପ୍ରାଶାସନିକ କର୍ତୃପକ୍ଷ ଏହି ଡଷ୍ଟବିନ୍ ଯୋଗାଇ ଦେବେ। ପ୍ରତ୍ୟେକ ବାସଗୃହକୁ ଗାଡ଼ି ପହଞ୍ଚି କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ସଂଗ୍ରହ କରିବେ।

Leave a Reply

Your email address will not be published. Required fields are marked *

Trending

Exit mobile version