ବଲାଙ୍ଗିର ୧୫/୧ : ଓଡ଼ିଶାର ବିକାଶ ମାଧ୍ୟମରେ ସମଗ୍ର ପୂର୍ବ ଭାରତର ବିକାଶ ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି । ବିଭିନ୍ନ ଭିତ୍ତିଭୂମି ତଥା ଅନ୍ୟାନ୍ୟ କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ର ସହଯୋଗର ହାତ ବଢ଼ାଇଛି । ଗତ ୨ ମାସ ମଧ୍ୟରେ କେନ୍ଦ୍ର ପକ୍ଷରୁ ଓଡ଼ିଶାରେ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରାଯାଇଛି ବୋଲି ମଙ୍ଗଳବାର ବଲାଙ୍ଗିରର ପଥରଚେପା ଠାରେ ଏକ ଜନସମାବେଶରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ପ୍ରକୃତିର ବରଦାନ ଯୋଗୁ ଓଡ଼ିଶାର ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ ବେଶ୍ ଆକର୍ଷଣୀୟ । ସେସବୁର ବିକାଶ ଓ ସୋ÷ନ୍ଦର୍ଯ୍ୟକରଣ ପାଇଁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । ଏହି କ୍ଷେତ୍ର ବିକଶିତ ହେଲେ ଓଡ଼ିଶାରେ ରୋଜଗାର ସୁବିଧା ଅନେକାଂଶରେ ବୃଦ୍ଧି ପାଇବ ।
କେନ୍ଦ୍ରୀୟ ସହାୟତା ଅର୍ଥ ରାଜ୍ୟ ସରକାର ଖର୍ଚ୍ଚ କରିପାରୁନାହାନ୍ତି ବୋଲି ଶ୍ରୀ ମୋଦୀ ଏହି ଅବସରରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତିର ବିକାଶ ଲାଗି କେନ୍ଦ୍ର ସରକାର ୪ ହଜାର କୋଟି ଟଙ୍କାର ପାଣ୍ଠି ଯୋଗାଇଥିବା ସତ୍ତେ୍ୱ ରାଜ୍ୟ ସରକାର ଏହାକୁ ଖର୍ଚ୍ଚ ନ କରିପାରିବା ଦୁର୍ଭାଗ୍ୟଜନକ । ସେ ଜଗନ୍ନାଥଙ୍କ ନାଁରେ ଶପଥ କରି କହିଥିଲେ ଯେ, ତାଙ୍କ ସରକାର ଲୁଟେରାମାନଙ୍କୁ ନିଶ୍ଚିତ ଖୋଜି ବାହାର କରିବ । ଗତ ୪ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ୬ କୋଟି ଦୁର୍ନୀତିଖୋରଙ୍କୁ ଖୋଜି ବାହାର କରିଥିବାରୁ ସେମାନେ ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର ଆରମ୍ଭ କରିଦେଇଛନ୍ତି ।
ଶ୍ରୀ ମୋଦୀ ଏହି ଅବସରରେ ପଶ୍ଚିମ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ୧୫୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏସବୁ ମଧ୍ୟରେ ଝାରସୁଗୁଡ଼ା ଠାରେ ମଲ୍ଟି ମୋଡାଲ ଲଜିଷ୍ଟିକ୍ସ ପାର୍କ, ଝାରସୁଗୁଡ଼ା-ବିଜୟନଗରମ ଏବଂ ସମ୍ବଲପୁର-ଅନୁଗୁଳ ରେଳ ଲାଇନ ବିଦ୍ୟୁତୀକରଣ, ବଲାଙ୍ଗିର-ବିଛୁପାଲି ପାସେଞ୍ଜର ଟ୍ରେନର ଶୁଭାରମ୍ଭ, ସୁବର୍ଣ୍ଣପୁରରେ କେନ୍ଦ୍ରୀୟ ବିଦ୍ୟାଳୟର ଭିତ୍ତିପ୍ରସ୍ତ ସ୍ଥାପନ ପ୍ରଭୃତି ପ୍ରକଳ୍ପ ଅନ୍ତର୍ଭୁକ୍ତ ।