ଭୁବନେଶ୍ୱର ୧/୬ : ଷୋଡ଼ଶ ବିଧାନସଭାର ନୂଆ ବାଚସ୍ପତି ହେଲେ ବରିଷ୍ଠ ନେତା ସୂର୍ୟ୍ୟନାରାୟଣ ପାତ୍ର । ଦିଗପହଣ୍ଡି ବିଧାୟକ ସୂର୍ୟ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଷୋଡଶ ବିଧାନସଭାର ବାଚସ୍ପତି ଭାବେ ବଛାହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି ବିଧାୟକ । ବାଚନିକ ଭୋଟରେ ପ୍ରସ୍ତାବ ପାରିତ ହୋଇଛି । ଦୁଇ ବିରୋଧୀ ଦଳ ପକ୍ଷରୁ କୌଣସି ବାଚସ୍ପତି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନଥିବାରୁ ଆଜି ସର୍ବସମ୍ମତକ୍ରମେ ସୂର୍ୟ୍ୟନାରାୟଣ ପାତ୍ର ଓଡିଶା ବିଧାନସଭାର ୨୨ତମ ବାଚସ୍ପତି ନିର୍ବାଚିତ ହୋଇଛନ୍ତି । ଗଣତନ୍ତ୍ର ମନ୍ଦିରର ମର୍ୟ୍ୟାଦା ରଖିବା ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି ସୂର୍ୟ୍ୟ ପାତ୍ର । ଏହା ସହ ମିଳିମିଶି କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।
ସୂର୍ୟ୍ୟପାତ୍ର ରାଜ୍ୟ ରାଜନୀତିର ଏକ ତୁଙ୍ଗ ଚେହେରା । ବିଧାୟକ ଭାବେ ସୂର୍ୟ୍ୟ ପାତ୍ର ୭ ଥର ନିର୍ବାଚିତ ହୋଇଛନ୍ତି । ଦୁଇ ଥର ଜନତା ଦଳରୁ ଓ ଲଗାତାର ୫ଥର ବିଜେଡ଼ିରୁ ବିଧାୟକ ନିର୍ବାଚିତ ହୋଇଛନ୍ତି । ମୋହନା ଓ ଦିଗପହଣ୍ଡିରୁ ଲଗାତାର ବିଧାନସଭାକୁ ନିର୍ବାଚିତ ହୋଇଥିବା ସୂର୍ୟ୍ୟ ଗଂଜାମ ବିଜେଡି ରାଜନୀତିର ଅନ୍ୟତମ ହେଭିୱେଟ୍ । ରାଜସ୍ୱ, ଶକ୍ତି, ଖାଦ୍ୟ ଯୋଗାଣ, ସଂସ୍କୃତି ଓ ପର୍ୟ୍ୟଟନ ପରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବରେ ମଧ୍ୟ ପୂର୍ବରୁ ଦାୟିତ୍ୱ ତୁଳାଇ ସାରିଛନ୍ତି । ଏଥର ବିଧାନସଭାରେ ବିଜେପି ଏକ ଶକ୍ତ ବିରୋଧୀ ଦଳ ଭାବେ ନିଜକୁ ଉପସ୍ଥାପିତ କରିଥିବାରୁ ଗୃହ ପରିଚାଳନା ପାଇଁ ସୂର୍ୟ୍ୟଙ୍କ ଅନୁଭୂତି ଅଭିଜ୍ଞତା ଉପରେ ଅଧିକ ଭରସା କରିଛନ୍ତି ନବୀନ ପଟ୍ଟନାୟକ । ରାଜନୀତରେ ବେଶ ଅଭିଜ୍ଞତା ଥିବା ଏହି ନେତା ସୂଚନାରୂପେ ଦାୟିତ୍ୱ ତୁଲାଇବେ ବୋଲି ଆଶା କରାଯାଇଛି । ନୂଆ ବାଚସ୍ପତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଏହାସହ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ମଧ୍ୟ ନୂଆ ବାଚସ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।