ରାଜନୀତି

ବାରିପଦାରେ ମୋଦୀ : ପୂର୍ବ ଭଳି ସ୍ୱର ନରମ, ଓଡ଼ିଶା ସହ ଭାରତର ବିକାଶ ଲାଗି ଏକତ୍ର ଚାଲିବାକୁ ଆହ୍ୱାନ

Published

on

ବାରିପଦା ୫/୧ : ବିଭିନ୍ନ ପ୍ରସଙ୍ଗ ନେଇ କ୍ରମାଗତ ଭାବେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱର ଧୀରେ ଧୀରେ ନରମ ହେବାରେ ଲାଗିଛି । ନିକଟରେ ଓଡ଼ିଶା ଆସିଥିବାବେଳେ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ବିଜେଡ଼ିର ନାଁ ନେଇନଥିଲେ । ଶନିବାର ବାରିପଦାରେ ୪୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାବେଳେ ସେ ଆଭିମୁଖ୍ୟକୁ ଅବ୍ୟାହତ ରଖିଛନ୍ତି । ଓଡ଼ିଶା ତଥା ଭାରତର ବିକାଶ ପାଇଁ ହାତରେ ହାତ ମିଳାଇ ଚାଲିବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।
ବାରିପଦା ସଭାରେ ସେ କହିଛନ୍ତି ଯେ, ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଅଙ୍ଗୀକାରବଦ୍ଧ । ବିଶେଷ କରି ସଡ଼କ ଓ ରେଳପଥ ସହ ଭିତ୍ତିଭୂମି ବିକାଶ ଲାଗି କେନ୍ଦ୍ର ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି । ଓଡ଼ିଶାର ବିକାଶ ସହ ତାଳଦେଇ ଦେଶର ବିକାଶ ମଧ୍ୟ ତ୍ୱରାନ୍ୱିତ ହୋଇପାରିବ । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସହ ଭାରତର ବିକାଶ ଲାଗି ଏକତ୍ର ଚାଲିବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।
ସ୍ୱାଧୀନତା ସଂଗ୍ରାମକୁ ଓଡ଼ିଶା ଆଦିବାସୀଙ୍କ ଅବଦାନ ଉଲ୍ଲେଖଯୋଗ୍ୟ ଦର୍ଶାଇ ଶ୍ରୀ ମୋଦୀ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ଆଶୀର୍ବାଦ ପାଇ ସେ ବିଶେଷ ଅଭିଭୂତ ହୋଇପଡ଼ିଛନ୍ତି । ବାରିପଦାରୁ ହିଁ ମହିଳା ସଶକ୍ତିକରଣ ଆରମ୍ଭ ହୋଇଥିଲା ଏବଂ ଏଠାରେ ମହିଳାମାନେ ହିଁ ଶୁଭଦ୍ରାଙ୍କ ରଥ ଟାଣିଥାନ୍ତି ବୋଲି ମଧ୍ୟ ସେ ଉଲ୍ଲେଖ କରିଥିଲେ । ତେବେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ସେ କହିଥିଲେ ଯେ, ମହିଳାଙ୍କ ବିକାଶ ଲାଗି ରାଜ୍ୟ ସରକାର କୋ÷ଣସି ଆଖିଦୃଶିଆ ଯୋଜନା କରୁନାହାନ୍ତି । ଫଳରେ ମହିଳା ଓ ଶିଶୁ ସୁରକ୍ଷା ନେଇ ସବୁବେଳେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ପିପିଲି ଗଣଦୁଷ୍କର୍ମ ମାମଲାରେ ପୀଡିତା ନ୍ୟାୟ ପାଇବାରୁ ବଂଚିତ ହୋଇଛନ୍ତି । ଏହାର ପୁଣି ଥରେ ତଦନ୍ତ ହେବା ଜରୁରୀ । ନାରୀ ଶିକ୍ଷା, ସୁରକ୍ଷା ଓ ରୋଜଗାର ସୃଷ୍ଟି କ୍ଷେତ୍ରରେ ଓଡ଼ିଶା ସବୁବେଳେ ପଛରେ ରହି ଆସିଛି । ମହିଳା ଓ ଶିଶୁଙ୍କ ଲାଗି ଉଦ୍ଦିଷ୍ଟ ସବୁ କେନ୍ଦ୍ରୀୟ ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ପାଇଁ ସେ ଏହି ଅବସରରେ ପରାମର୍ଶ ଦେଇଛନ୍ତି ।
ଶ୍ରୀ ମୋଦୀ ଏହି ଅବସରରେ ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲପିଜି ପାଇପଲାଇନ ଅନ୍ତର୍ଗତ ଆଇଓସିଏଲର ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ସେକ୍ସନର ଲୋକାର୍ପଣ କରିଥିଲେ । ଏହାସହ ଚିଲିକିଦରା-ସଗଡ଼ପଟା ଏବଂ ନରଣପୁର-ବସନ୍ତପୁର ରେଳ ଲାଇନ ଦୋହରିକରଣ ପ୍ରକଳ୍ପ ଏବଂ ବାଲେଶ୍ୱରସ୍ଥିତ ମଲ୍ଟି ମୋଡାଲ ଲଜିଷ୍ଟିକ୍ସ ପାର୍କର ଉଦ୍ଘାଟନ କରିଥିଲେ । ସେ ମଧ୍ୟ ପତାକା ଦେଖାଇ ଟାଟାନଗର-ବାଦାମପାହାଡ ଦ୍ୱିତୀୟ ପାସେଞ୍ଜର ଟ୍ରେନର ଶୁଭାରମ୍ଭ କରିଥିଲେ । ଏଥିସହ ଏନଏଚ ୨୧୫, ଏନଏଚ ୨୦୬ର ୪ ଲାଇନ ସଂପ୍ରସାରଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଶ୍ରୀ ମୋଦୀ ହରିପୁରଗଡ଼ସ୍ଥିତ ପ୍ରାଚୀନ ଦୁର୍ଗ ଏବଂ ମୟୁରଭଞ୍ଜର ରସିକରାୟ ମନ୍ଦିରର ପୁନରୁଦ୍ଧାର ପ୍ରକଳ୍ପର ଉଦଘାଟନ କରିଥିଲେ ।
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ନାରୀ ସୁରକ୍ଷିତ ନୁହନ୍ତି ବୋଲି ଦର୍ଶାଇ ପିପିଲି, କୁନ୍ଦୁଲି ଆଦି ଘଟଣା ପାଇଁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଡ. ଗଣେଶୀଲାଲ, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version