ଭୁବନେଶ୍ୱର ୨୧/୩ ବିଜେଡିର ପ୍ରଥମ ଇସ୍ତାହାର କମିଟି ଅନୁଷ୍ଠିତ ହୋଇଛି । ଆଗାମୀ ନିର୍ବାଚନୀ ଇସ୍ତାହାରରେ କେଉଁ ପ୍ରସଙ୍ଗ ଗୁଡିକ ସ୍ଥାନ ପାଇବ ସେନେଇ ବୈଠକରେ ଆଲୋଚନା ହୋଇଛି । ଏନେଇ ଇସ୍ତାହାର କମିଟି ଉପାଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଆମେ ବାସ୍ତବବାଦୀ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରୁ । କାରଣ ବିଗତ ୫ ବର୍ଷ ମଧ୍ୟରେ ଓଡ଼ିଶାବାସୀ ଦେଖିଛନ୍ତି ଯେ, ବିଜେଡି ଯାହା କହେ ତାହା ପାଳନ କରେ । ବର୍ତ୍ତମାନ ଓଡ଼ିଶାରେ କେହି ଜଣେ ହେଲେ ଭୋକିଲା ରହିଥିବା କହିବେ ନାହିଁ । ଭୋଟ୍ ପାଇଁ ମନକିଣା ଇସ୍ତାହାର ଦିଆଯିବ ନାହିଁ । ଚଳିତଥର ଲୋକଙ୍କ ସମସ୍ୟା ଓ ସମାଧାନ ନେଇ ନିର୍ବାଚନୀ ଇସ୍ତାହାର ଦିଆଯିବ ଏବଂ ତାହା ସଠିକ ରୂପେ କାର୍ୟ୍ୟକାରୀ ହେବ ବୋଲି କହିଛନ୍ତି ସୌମ୍ୟ ।
ସେପଟେ କମିଟି ଉପାଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ୟ୍ୟ ମଧ୍ୟ ଇସ୍ତାହାର କମିଟି ନେଇ କହିଛନ୍ତି ଯେ, ଓଡ଼ିଶାର ସବୁ ଅଂଚଳର ସବୁ ବର୍ଗର ଲୋକଙ୍କ ମତ ନିଆଯାଉଛି । ଦଳ କେବେ ଅବାସ୍ତବ ପ୍ରତିଶ୍ରୁତି ଦେଇନାହିଁ । ଏବଂ ଦଳ ପକ୍ଷରୁ ସଠିକ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯାଉଛି । ଘରେ ଘରେ ଶଙ୍ଖ କର୍ୟ୍ୟକ୍ରମ ମାଧ୍ୟମରେ ପ୍ରତି ଘରକୁ କାର୍ୟ୍ୟକର୍ତ୍ତା ପହଂଚି ଲୋକଙ୍କ ମତାମତକୁ ସଂଗ୍ରହ କରିଛନ୍ତି । ଏହାସହ କୃଷି, ଶ୍ରମିକ ଓ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତି ।