ଭୁବନେଶ୍ୱର: କେନ୍ଦ୍ରର ମୋଦି ସରକାରର ବିରୋଧୀଙ୍କ ପ୍ରତି ଅସହିଷ୍ଠୁତା ଚରମ ସୀମାରେ ପହଂଚିଛି । ସଦ୍ୟ ଅନୁଷ୍ଠିତ ତିନୋଟି ହିନ୍ଦୀଭାଷୀ ରାଜ୍ୟରେ ବିଜେପିର ପରାଜୟ ପରେ ବିଜେପି ସରକାର ୨୦୧୯ ସାଧାରଣ ନିର୍ବାଚନ ହାରିଯିବା ଭୟରେ ବିରୋଧୀଙ୍କ ପ୍ରତି ପ୍ରତିଶୋଧ ପରାୟଣ ହୋଇ ପଡିଛି ।
ରାଜ୍ୟରେ ଇନ୍ଦ୍ରଣୀ ପଟ୍ଟନାୟକ ଓ ଡି.ଆର.ପଟ୍ଟନାୟକ ଖଣିରେ ଆୟକର ଚଢ଼ାଉ ବିଜେପି ସରକାରର ଏହି ପ୍ରତିଶୋଧ ପରାୟଣ ରାଜନୀତିର ଅନ୍ୟ ଏକ ନମୁନା । ପଟ୍ଟନାୟକ ପରିବାରର ଖଣି ଉପରେ ଚଢ଼ାଉ ବେଳେ ଆୟକର ବିଭାଗର ଅଫିସରମାନେ ମା କୁଆଁରୀ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରି କାଗଜପତ୍ର ଜବତ କରିଛନ୍ତି । ସ୍ଥାନୀୟ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କର ପରୋକ୍ଷରେ ପରିଚାଳିତ ଏହି ଟ୍ରନ୍ସପୋର୍ଟ କମ୍ପାନୀ ପଟ୍ଟନାୟକ ଖଣିରୁ ଲୁହାପଥର ଓ ମାଙ୍ଗାନିଜ ଆଦି ଚାଲଣ କରିଥାଏ ।
ଆୟକର ବିଭାଗର ଏହି ଚଢ଼ାଉ ପଛରେ ବିଜେପିର ରାଜନୈତିକ ପ୍ରତିଶୋଧ ପରାୟଣର ଗନ୍ଧ ବେଶ ବାରି ହୋଇ ଯାଉଛି ।
ଇନ୍ଦ୍ରାଣୀ ପଟ୍ଟନାୟକ ଏବଂ ଡି.ଆର.ପଟ୍ଟନାୟକ ରାଜ୍ୟ କଂଗ୍ରେସ ସଭାପତି ନିରଞନ ପଟ୍ଟନାୟକଙ୍କ ନିକଟ ସଂର୍ପକୀୟ । ଏବଂ ସ୍ୱାଧୀନ ବିଧାୟକ ସନାତନ ‘ଜନ ସମୃଦ୍ଧ ଦଳ’ ନାମରେ ଏକ ଆଂଚଳିକ ରାଜନୈତିକ ଦଳ ନିକଟରେ ଗଠନ କରି ଆଗାମୀ ନିର୍ବାଚନରେ ଷାଠିଏରୁ ଅଧିକ ଆସନରେ ପ୍ରାର୍ଥୀ ଦେଇ ନିର୍ବାଚନ ଲଢ଼ିବାର ପ୍ରସ୍ତୁତି କରୁଛନ୍ତି ।
ଆୟକର ବିଭାଗର ଏହି ଚଢ଼ାଉକୁ ବିଜେପିର ଗୋଟିଏ ଗୁଳିରେ ଦୁଇଟି ଶିକାର ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ।
ଗୋଟିଏ ପଟେ ପଟ୍ଟନାୟକ ପରିବାରର ଖଣି ଉପରେ ଚଢ଼ାଉ କରି କଂଗ୍ରେସ ସଭାପତି ନିରଞନଙ୍କୁ ଧମକ ଦିଆଯିବା ବେଳେ ସନାତନଙ୍କୁ ମଧ୍ୟ ଚେତାବନୀ ଦିଆ ଯାଇଛି ।
ପ୍ରକୃତ ପକ୍ଷେ ରାଜ୍ୟରେ କଂଗ୍ରେସ ଓ ସନାତନଙ୍କର ‘ଜନ ସମୃଦ୍ଧ ଦଳ’ ମଧ୍ୟରେ ଆସନ ବୁଝାମଣାର କଥାବାର୍ତା ଅରାମ୍ଭ ହୋଇଥିଲା । ଏହି କଂଗ୍ରେସ-ଜନ ସମୃଦ୍ଧ ଦଳ ମେଂଟ ହୋଲେ ଆଗାମୀ ନିର୍ବାଚନରେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ନହେଲେ ବି ଲୁହାଖଣିର ଗନ୍ତାଘର ବୋଲି କୁହା ଯାଉଥିବା କେଉଁଝର ଜିଲ୍ଲାରେ ମେଂଟ ବେଶ୍ ଭଲ ପ୍ରଦର୍ଶନ କରିବ ଏଥିରେ ସନ୍ଦେହ ନାହିଁ । କେଉଁଝର ଜିଲ୍ଲାରେ ଗୋଟିଏ ଲୋକସଭା ଆସନ ଥିବା ବେଳେ ସାତଟି ବିଧାନସଭା ଆସନ ରହିଛି ।
କେଉଁଝରର ଏହି ଲୋକସଭା ଆସନରେ ବିଜେପି ଅତୀତରେ ଜିତିଛି । ୧୯୯୮ରେ ବିଜେଡି ସହ ମେଂଟରେ ବିଜେପିର ଉପେନ୍ଦ୍ର ନାୟକ, ୨୦୯୯ଏବଂ ୨୦୦୪ରେ ଅନନ୍ତ ନାୟକ ଏହି ଆସନରୁ ଜିତିଥିଲେ । ତେବେ ୨୦୦୯ରେ ମେଂଟ ଭାଙ୍ଗି ଯିବାପରେ ଏହି ଆସନ ବର୍ତମାନ ବିଜେଡି କବଜାରେ ରହିଛି । କେଉଁଝର ଲୋକସଭା ମଣ୍ଡଳୀରେ କେଉଁଝର ଜିଲ୍ଳାର ଛଅଟି ବିଧାନସଭା ଆସନ ଓ ମୟୁରଭଞ ଜିଲ୍ଳାର କରଞିଆ ଆସନ ରହିଛି । ବିଜେପି-ବିଜେଡି ମେଂଟ ସମୟରେ ୨୦୦୦ ନିର୍ବାଚନରେ ବିଜେପି ଆନନ୍ଦପୁର, ପାଟନା ଏବଂ କେଉଁଝର ସଦର ଆସନରେ ଜିତିଥିଲା । ୨୦୦୪ରେ କେବଳ ପାଟନା ଓ ସଦର ଆସନ ଜିତିଥିଲା । ମେଂଟ ଭାଙ୍ଗି ଯିବାପରେ ବିଜେପି ଏହି ଜିଲ୍ଲାରେ ଆଉ ଖାତା ଖୋଲି ପାରି ନାହିଁ ।
ତେବେ ୨୦୧୪ ନିର୍ବାଚନରେ କେଉଁଝର ଲୋକସଭା ଆସନ ଓ ବିଧାନସଭା ଆସନ ଗୁଡିକରେ ଭଲ ପ୍ରଦର୍ଶନୀ କରିଥିବାରୁ ଦଳ ଏଥର ଅଧିକ ଆଶାୟୀ ହୋଇ ପଡିବା ସ୍ୱଭାବିକ । ଏହି କାରଣରୁ ଦଳ ଆଗମୀ ନିର୍ବାଚନରେ ଏହି ଜିଲ୍ଳାର ଲୋକସଭା ଓ ବିଧାନସଭା ଆସନ ଉପରେ ଆଖି ରହିଛି । ତେବେ କଂଗ୍ରେସ-ଜନ ସମୃଦ୍ଧ ଦଳ ମେଂଟ ହୋଇଗଲେ ସେମାନଙ୍କର ସେହି ଆଶା ଧୂଳିସାତ ହୋଇଯିବ । ସନାତନ ମହାକୁଡଙ୍କର ଦଳର ପ୍ରଭାବ ଜିଲ୍ଳାର ଭୋଟର ମାନଙ୍କ ଉପରେ ବେଶ ରହିଛି । ଅନ୍ୟ ପକ୍ଷେ କଂଗ୍ରେସର ସଭାପତି ନିରଞନ ପଟ୍ଟନାୟକ ଏବଂ ପୂର୍ବତନ ସଭାପତି ଜୟଦେବ ଜେନା ଏହି ଜିଲ୍ଳାରୁ ହୋଇଥିବାରୁ ସେମାନଙ୍କର ମଧ୍ୟ ଜିଲ୍ଳାର ଭୋଟରମାନଙ୍କ ଉପରେ ଯଥେଷ୍ଟ ରହିଛି ।
ବର୍ତମାନ ପଟ୍ଟନାୟକ ପରିବାର ଉପରେ ଓ ସନାତନ ମହାକୁଡଙ୍କର ଟ୍ରାନ୍ସପୋର୍ଟ କମ୍ପାନୀ ଉପରେ ଆୟକର ଚଢ଼ାଉ ପଛରେ ବିଜେପିର ରାଜନୈତିକ ଉଦ୍ୟେଶ୍ୟ ନାହିଁ ବୋଲି କହିବା କଷ୍ଟକର ।
ଦେଶର ସର୍ବାଧିକ ଆୟକର ଦେଉଥିବା ଅନ୍ୟତମ କରଦାତାଙ୍କ ଉପରେ ଆୟକର ବିଭାଗର ଛଢ଼ାଉ ପଛରେ ଭିନ୍ନ କିଛି କାରଣ ରହିଛି ନିଶ୍ଚୟ ।
ଏଭଳି ଚଢ଼ାଉ କରି ବିଜେପି ଓଡିଶା କଂଗ୍ରେସର ନିର୍ବାଚନ ପାଣ୍ଠି ସଂଗ୍ରହ ଯୋଜନାକୁ ପଣ୍ଡ କରିବାକୁ ଷଡଯନ୍ତ୍ର କରୁଛି କି ? ସନାତନ ମହାକୁଡଙ୍କୁ କଂଗ୍ରେସ ସହ ମେଂଟ ନକରିବାକୁ ଧମକ ଦେଉଛି କି? ଏହି ଭଳି ଅନେକ ପ୍ରଶ୍ନ ବର୍ତମାନ ରାଜ୍ୟବାସୀଙ୍କ ମନରେ ଉଙ୍କି ମରିବା ଅରମ୍ଭ କରିଛି ।