ଭୁବନେଶ୍ୱର ୧୫/୧୨ : ଗୁଡ଼ ନ୍ୟୁଜ ଇଣ୍ଡିଆର ସେଲ୍ଟର ହୋମରେ ନିର୍ଯାତନା ଅଭିଯୋଗକୁ ନେଇ କେନ୍ଦ୍ର ସରକାର ରାଜନୀତି କରୁଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରିଛି । ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି କହିଛି ଯେ, ଗୁଡ଼ ନ୍ୟୁଜ ଇଣ୍ଡିଆ ପ୍ରକୃତରେ ଆଶ୍ରୟ ଗୃହ ନୁହେଁ, ଛାତ୍ରାବାସ ଚଳାଇଛି । ଆଇନକୁ କଡ଼ାକଡ଼ି ଭାବେ ପାଳନ କରି ୨୦୧୫ ରୁ ୨୦୧୮ ମଧ୍ୟରେ ରାଜ୍ୟ ସରକାର ୧୯ଟି ବେଆଇନ ଶିଶୁ ଗୃହକୁ ବନ୍ଦ କରିସାରିଛନ୍ତି । ସେବାଶ୍ରମ ବା ଛାତ୍ରାବାସକୁ କେତେ ବିଦେଶୀ ପୁଞ୍ଜି ଆସୁଛି ଏବଂ ସେଗୁଡ଼ିକ କିଭଳି ଖର୍ଚ୍ଚ ହେଉଛି ତାହା ଯାଂଚ କରିବା ଦାୟିତ୍ୱ କେନ୍ଦ୍ର ସରକାରଙ୍କର । କିନ୍ତୁ କେନ୍ଦ୍ର ସରକାର ନିଜ ଦୋଷ ତ୍ରୁଟି ନ ଦେଖି ରାଜ୍ୟ ସରକାରଙ୍କୁ ଦୋଷ ଦେଉଛନ୍ତି । ନିକଟରେ କେନ୍ଦ୍ର ଶିଶୁ ବିକାଶ ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଦୋଷାରୋପ କରି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯେଉଁ ଚିଠି ଲେଖିଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେଡ଼ି କହିଛି ।