ପୁରୀ ୩୧/୧୨ : ପୁରୀ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବଙ୍କୁ ସମାଲୋଚନା କରି ବରିଷ୍ଠ ନେତା ବିଜୟ ମହାପାତ୍ର ବିବାଦ ଘେରକୁ ଚାଲି ଆସିଛନ୍ତି । ଶ୍ରୀମନ୍ଦିର ପରିଚାଳନା ସମ୍ପର୍କରେ ଶସ୍ତା ମନ୍ତବ୍ୟ ଦେଇ ଗଜପତି ମହାରାଜ ନିଜ ଦାୟିତ୍ୱରୁ ଖସି ଯିବାପାଇଁ ଉଦ୍ୟମ କରିଛନ୍ତି ବୋଲି ଶ୍ରୀ ମହାପାତ୍ର ବିବୃତି ଦେବାର ଅଳ୍ପ କିଛି ସମୟ ମଧ୍ୟରେ ଗଜପତିଙ୍କ ପକ୍ଷରୁ ତାହାର ମୁହତୋଡ଼ ଜବାବ ଦିଆଯାଇଛି । ଗଜପତି କହିଛନ୍ତି ଯେ, ସେ ନାମକୁ ମାତ୍ର ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଅଛନ୍ତି । ପ୍ରକୃତରେ ନୀତି ପରିଚାଳନା କ୍ଷେତ୍ରରେ ତାଙ୍କର କୋ÷ଣସି କ୍ଷମତା ବା ଅଧିକାର ନାହିଁ । ପୂର୍ବରୁ ଏକଥା ସେ ବାରମ୍ବାର ସ୍ପଷ୍ଟ କରି ଆସିଥିଲେ ମଧ୍ୟ କାହିଁକି କିଛି ଲୋକ ତାହା ବୁଝି ପାରୁନାହାନ୍ତି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି ।
ଗତ ୨୮ ତାରିଖ ଦିନ ଶ୍ରୀମନ୍ଦିରରେ ସେବାୟତଙ୍କ ଅସହଯୋଗ ଯୋଗୁ ୩ ଠାକୁର ଦିନସାରା ଓପାସ ରହିବା ଘଟଣାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଥିଲେ ଯେ, ଏହା ଅତ୍ୟନ୍ତ ଦୁଃଖ ଦାୟକ । ସରକାର ତାଙ୍କ ଯୋଜନାରେ ଶ୍ରୀମନ୍ଦିର ପରିଚାଳନା ନୀତିକୁ ଶୀର୍ଷରେ ରଖିବା ଉଚିତ । ଏହି ମନ୍ତବ୍ୟକୁ ସମାଲୋଚନା କରି ଶ୍ରୀ ମହାପାତ୍ର କହିଥିଲେ ଯେ, ଠାକୁରଙ୍କ ନୀତି ପରିଚାଳନାରେ ତାଙ୍କର ବିଶେଷ କିଛି ଦାୟିତ୍ୱ ନାହିଁ ବୋଲି କହି ଗଜପତି ନିଜ ଦୋଷ ଛିଣ୍ଡେଇ ଦେବାକୁ ଉଦ୍ୟମ କରିଛନ୍ତି । ଏହା ଠିକ୍ ନୁହେଁ । କାରଣ ସେ ହେଉଛନ୍ତି ଶ୍ରୀ ଜଗନ୍ନାଥଙ୍କର ଆଦ୍ୟ ସେବକ । କେବଳ ଏତିକି ନୁହେଁ, ଗଜପତି ମଧ୍ୟ ହେଉଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଭାପତି । ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ନୀତି ପରିଚାଳନା କ୍ଷେତ୍ରରେ ସରକାରଙ୍କର ଯେତିକି ଦାୟିତ୍ୱ ରହିଛି ତାଙ୍କର ମଧ୍ୟ ସେତିକି ଦାୟିତ୍ୱ ରହିଛି । ଗଜପତି ମହାରାଜ ଶସ୍ତା ବିବୃତି ଦେଇ ନିଜେ ଖସି ଯିବାକୁ ଉଦ୍ୟମ କଲାଭଳି ଲାଗୁଛି ।
ଶ୍ରୀ ମହାପାତ୍ର ଏ ପ୍ରକାର ବିବୃତି ଦେବାର ଅଳ୍ପ କିଛିସମୟ ମଧ୍ୟରେ ଗଜପତି ମହାରାଜାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତିରେ ତାହାକୁ ଦୃଢ଼ ଭାବେ ଖଣ୍ଡନ କରାଯାଇଛି । ସେଥିରେ କୁହାଯାଇଛି ଯେ, ୧୯୬୦ରୁ ଗଜପତିଙ୍କ ହାତରୁ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ଠାକୁରଙ୍କ ସେବାନୀତି ସୁପରିଚାଳନା ଦାୟିତ୍ୱ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ହାତରେ ନ୍ୟସ୍ତ କରାଯାଇଛି । ଏହି ପରିପ୍ରେକ୍ଷୀରେ ମହାରାଜାଙ୍କର ଏ କ୍ଷେତ୍ରରେ କୋ÷ଣସି ଦାୟିତ୍ୱ ବା ଅଧିକାର ନାହିଁ । ପରିଚାଳନା କମିଟିରେ ଅଧ୍ୟକ୍ଷତା କରିବା ଛଡା ସେଥିରେ ମହାରାଜାଙ୍କର କୋ÷ଣସି ଭୂମିକା ଓ ଅଧିକାର ନାହିଁ । ଗଜପତିଙ୍କ ପକ୍ଷରୁ ପୂର୍ବରୁ ବହୁଥର ଏହା ସ୍ପଷ୍ଟ କରିଦିଆଯାଇଥବଲେ ହେଁ, କାହିଁକି ଅଯଥାରେ ଏ ପ୍ରକାର ସମାଲୋଚନା କରାଯାଉଛି ବୋଲି ଏହି ବିବୃତିରେ ପ୍ରଶ୍ନ ଉଠାଯାଇଛି । ଗଜପତିଙ୍କ ପକ୍ଷରୁ ଏ ପ୍ରକାର ସ୍ପଷ୍ଟିକରଣ ପରେ ଶ୍ରୀ ମହାପାତ୍ର ଅକଳରେ ପଡ଼ିଯାଇଛନ୍ତି । ତାଙ୍କ ପାଇଁ ଏହା ଗୁରୁଜ୍ଞାନ ସଦୃଶ ହୋଇଛି ।