ରାଜନୀତି

ବିଧାନସଭା ଏକଜିଟ ପୋଲ୍ : ବିଜେପିର ବିପର୍ଯ୍ୟୟ ଆଶଙ୍କା

Published

on

ନୂଆଦିଲ୍ଲୀ ୭/୧୨ : ୫ଟି ରାଜ୍ୟରେ ସମ୍ପ୍ରତି ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେଡ଼ିକୁ ବଡ଼ ଧରଣର ଝଟକା ଲାଗିବାର ଆଶଙ୍କା ପ୍ରକାଶ ପାଇଛି । କାରଣ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍ଜିଟ୍ ପୋଲରୁ ଯେଉଁ ମତାମତ ମିଳିଛି ତାହା ବିଜେପି ବିପକ୍ଷରେ ହିଁ ଯାଇଛି । ରାଜସ୍ଥାନ ଓ ଛତିଶଗଡ଼ରେ ଦଳର ବିପର୍ଯ୍ୟୟ ନିଶ୍ଚିତ ବୋଲି ଅଧିକାଂଶ ଏକଜିଟ୍ ପୋଲ୍ରୁ ସୂଚନା ମିଳିଛି । ତେବେ ମଧ୍ୟପ୍ରଦେଶରେ ବିଜେପି ସହ କଂଗ୍ରେସର କଡ଼ା ମୁକାବିଲାର ସମ୍ଭାବନା ରହିଛି । ଏହି ପରିସ୍ଥିତିରେ ସେଠାରେ ମଧ୍ୟ ବିଜେପି ହୁଏତ କ୍ଷମତା ହରାଇପାରେ । ଶୁକ୍ରବାର ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ପାଇଁ ମତଦାନ ଶେଷ ହୋଇଥିବାବେଳେ ଆସନ୍ତା ୧୧ ତାରିଖ ଦିନ ଏହି ଦୁଇ ରାଜ୍ୟ ସମେତ ମୋଟ୍ ୫ଟି ରାଜ୍ୟର ଭୋଟ ଗଣତି ହେବ ।
ଟାଇମ୍ସ ନାଓର ଏକଜିଟ୍ ପୋଲ ଆକଳନ ଅନୁଯାୟୀ ରାଜସ୍ଥାନରେ ବିଜେପିକୁ ୮୫ଟି ଆସନ ମିଳିବାର ସମ୍ଭାବନା ଥିବାବେଳେ କଂଗ୍ରେସକୁ ୧୦୫ ଆସନ ମିଳିବ ବୋଲି କୁହାଯାଇଛି । ନ୍ୟୁଏକ୍ସ ନେଟାର ଆକଳନ ଅନୁଯାୟୀ ବିଜେପିକୁ ୮୦ ଓ କଂଗ୍ରେସକୁ ୧୧୨ ଆସନ ମିଳିବ । ଜନ୍କି ବାତ୍ର ଏକଜିଟ୍ ପୋଲରେ ବିଜେପିକୁ ୯୩ ଓ କଂଗ୍ରେସକୁ ୯୧ ଆସନ ମିଳିବା ଆକଳନ କରାଯାଇଛି । ରାଜସ୍ଥାନରେ ବିଜେପିକୁ ୫୫ ରୁ ୭୨ ଓ କଂଗ୍ରେସକୁ ୧୧୯ ରୁ ୧୪୧ ମଧ୍ୟରେ ଆସନ ମିଳିବ ବୋଲି ଇଣ୍ଡିଆଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆ ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଛି ।
ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପିକୁ ୩୮ ରୁ ୪୨ ଓ କଂଗ୍ରେସକୁ ୪୦ ରୁ ୪୪ ଆସନ ମିଳିପାରେ ବୋଲି ନ୍ୟୁଜ୍ ନେସନ ଏକ୍ଜିଟ୍ ପୋଲରୁ ଜଣାପଡିଛି । ସେହିଭଳି ସି ଭୋଟର ଆକଳନ ଅନୁଯାୟୀ ଛତିଗଡ଼ରେ ବିଜେପି ୩୫ ରୁ ୪୨ ଓ କଂଗ୍ରେସ ୪୨ ରୁ ୫୦ ମଧ୍ୟରେ ଆସନ ଲାଭ କରିବ । ଟାଇମ୍ସ ନାଓ ସିଏନ୍ଏକ୍ସର ଆକଳନ ଅନୁଯାୟୀ ଏହି ରାଜ୍ୟରେ ବିଜେପିକୁ ୪୬ ଓ କଂଗ୍ରେସକୁ ୩୫ ଆସନ ମିଳିପାରେ ।
ମିଜୋରାମରେ ଏମ୍ଏନ୍ଏଫ୍ ୧୬ ରୁ ୨୦ ଆସନରେ ବିଜୟୀ ହେବାର ସମ୍ଭାବନା ଥିବାବେଳେ କଂଗ୍ରେସ ୧୪ ରୁ ୧୮ ଆସନରେ ବିଜୟୀ ହୋଇପାରେ ବୋଲି ସି ଭୋଟର ଏକ୍ଜିଟ୍ ପୋଲରୁ ଜଣାପଡିଛି । ତେବେ ତେଲେଙ୍ଗାନାରେ କେ ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ୍ ମେଣ୍ଟ ୬୬ଟି ଆସନରେ ବିଜୟୀ ହୋଇ ସରକାର ଗଢ଼ିବା ନିଶ୍ଚିତ ବୋଲି ଟାଇମ୍ସ ନାଓ ସିଏନ୍ଏକ୍ସ ପୂର୍ବାନୁମାନ କରିଛି । ଅନ୍ୟ ସଂସ୍ଥାଗୁଡ଼ିକ ମଧ୍ୟ ଟିଆର୍ଏସ୍ ସପକ୍ଷରେ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version