ଦେଶ ବିଦେଶ

ବିଧାନସଭା ନିର୍ବାଚନରେ ଚାଣକ୍ୟଙ୍କ ରଣନୀତି ଫେଲ : କ୍ଷମତା ହରାଇଲା ବିଜେପି

Published

on

ନୂଆଦିଲ୍ଲୀ ୧୧/୧୨ : ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଚାଣକ୍ୟ ରୂପେ ପରିଚିତ ବିଜେପି ସଭାପତି ଅମିତ ଶାହାଙ୍କ ରଣନୀତି ସମ୍ପୂର୍ଣ୍ଣ ଫେଲ୍ ମାରିଛି । ଛତିଶଗଡ଼ରେ ବିଜେପିର ଶୋଚନୀୟ ବିପର୍ଯ୍ୟୟ ଘଟିଥିବାବେଳେ ରାଜସ୍ଥାନରେ କ୍ଷମତା ହରାଇଛି । ଦୀର୍ଘବର୍ଷ ଧରି ଶାସନରେ ଥିବା ଛତିଶଗଡ଼ରେ ମଧ୍ୟ ଦଳର ସ୍ଥିତି ଦୋହଲି ଯାଇଛି । ଏପର୍ଯ୍ୟନ୍ତ ସବୁ ଆସନର ଆନୁଷ୍ଠାନିକ ଫଳାଫଳ ପ୍ରକାଶ ପାଇନଥିଲେ ମଧ୍ୟ ଛତିଶଗଡ଼ରେ ବି ବିଜେପି ସରକାର ଗଢ଼ିବା ନେଇ ଅନିଶ୍ଚିତତା ଦେଖାଦେଇଛି । ଏହି ରାଜ୍ୟରେ ଆଜି ଭୋଟ ଗଣତି ଆରମ୍ଭରୁ କଂଗ୍ରେସ ଠାରୁ ବିଜେପି ସାମାନ୍ୟ ଆଗୁଆ ଚାଲିଥିବାବେଳେ ଶେଷ ଆଡକୁ ପଛେଇ ଯାଇଛି । ତେଣୁ ଏଠାରେ ମଧ୍ୟ ବିଜେପି କ୍ଷମତା ହରାଇବାର ଆଶଙ୍କା ସୃଷ୍ଟି ହୋଇଛି । ୫ଟି ଯାକ ରାଜ୍ୟରେ ଏକଜିଟ୍ ପୋଲର ଫଳାଫଳ ଆକଳନ ଏକପ୍ରକାର ସତ ହୋଇଛି ।
ସୂଚନାଯୋଗ୍ୟ ଯେ, ନିକଟରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ପାଇଁ ମତଦାନ ହୋଇଥିଲା । ତେବେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି ପୁଣିଥରେ କ୍ଷମତା ହାସଲ କରିବ ବୋଲି ଦଳର ସଭାପତି ଅମିତ ଶାହା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦଳର ଅନ୍ୟ ତୁଙ୍ଗ ନେତାମାନେ ଦୃଢ଼ୋକ୍ତି ପ୍ରକାଶ କରିଆସିଥିଲେ । ଏହି ତିନି ରାଜ୍ୟରେ ସେମାନଙ୍କ ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି । ଅପରପକ୍ଷରେ କଂଗ୍ରେସ ଛତିଶଗଡ଼ ଓ ରାଜସ୍ଥାନରେ କ୍ଷମତାକୁ ଫେରିଥିବାବେଳେ ମଧ୍ୟପ୍ରଦେଶରେ ସରକାର ଗଢ଼ିବା ନେଇ ଆଶା ବାନ୍ଧି ବସିଛି । ତେବେ ମିଜୋରାମରେ କଂଗ୍ରେସ କ୍ଷମତା ହରାଇଛି । ସେଠାରେ ଏହି ଦଳର ମଧ୍ୟ ଶୋଚନୀୟ ବିପର୍ଯ୍ୟୟ ଘଟିଛି । କଂଗ୍ରେସକୁ ମାତ୍ର ୫ଟି ଆସନ ମିଳିଥିବାବେଳେ ୨୬ଟି ଆସନରେ ବିଜୟୀ ହୋଇ ଏମଏନ୍ଏଫ୍ ସରକାର ଗଠନ କରିବାକୁ ଯାଉଛି । ମିଜୋରାମରେ ବିଜେପି ମାତ୍ର ୧ଟି ଆସନରେ ବିଜୟୀ ହୋଇ ଖାତା ଖୋଲିଛି । ଏହି ରାଜ୍ୟରେ ବିଧାନସଭା ଆସନ ସଂଖ୍ୟା ୪୦ ।
ତେଣେ ତେଲେଙ୍ଗାନାରେ ପୂର୍ବ ଆକଳନ ଅନୁଯାୟୀ ଟିଆରଏସ୍ କ୍ଷମତାସୀନ ହେବାକୁ ଯାଉଛି । ସେଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ବିଜୟ ଓ ଟ୍ରେଣ୍ଡର ସୂଚନା ଅନୁଯାୟୀ ଟିଆର୍ଏସ୍ ୮୭ଟି ଆସନରେ ବିଜୟୀ ହେବାକୁ ଯାଉଥିବାବେଳେ କଂଗ୍ରେସ ୨୧, ବିଜେପି ୧, ଏମ୍ଆଇଏମ୍ ୭ଟି ଆସନରେ ବିଜୟୀ ହେବା ସମ୍ଭାବନା ସୃଷ୍ଟି ରହିଛି । ସେଠାରେ ଅନ୍ୟ ଦଳଗୁଡ଼ିକ ୩ଟି ଆସନରେ ବିଜୟୀ ହେବାକୁ ଯାଉଛନ୍ତି । ଏହି ରାଜ୍ୟରେ ୧୧୯ଟି ଆସନ ପାଇଁ ନିର୍ବଚନ ଅନୁଷ୍ଠିତ ହୋଇଥିଲା ।
ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ଏପର୍ଯ୍ୟନ୍ତ ଚୂଡାନ୍ତ ଫଳାଫଳ ପ୍ରକାଶ ପାଇନଥିଲେ ମଧ୍ୟ ଛତିଶଗଡ଼ରେ ସ୍ଥିତି ସ୍ପଷ୍ଟ ହୋଇଯାଇଛି । ଛତିଶଗଡ଼ର ୯୦ଟି ଆସନ ମଧ୍ୟରୁ ବିଜେପିକୁ ୧୭ଟି ଆସନ ମିଳିବାକୁ ଥିବାବେଳେ କଂଗ୍ରେସକୁ ୬୪ଟି ଆସନ ଏବଂ ବିଏସ୍ପିକୁ ୭ଟି ଆସନ ମିଳିବା ଏକ ପ୍ରକାର ନିଶ୍ଚିତ ଜଣାପଡ଼ୁଛି । ରାଜସ୍ଥାନର ୧୯୯ଟି ଆସନ ମଧ୍ୟରୁ କଂଗ୍ରେସ ୧୦୦ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୭୪ଟି ଆସନରେ ଆଗୁଆ ରହିଛି । ସେଠାରେ ବିଏସ୍ପି ୭ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ଅନ୍ୟ ଦଳ ୧୯ଟିରେ ଆଗୁଆ ରହିଛନ୍ତି । ମଧ୍ୟପ୍ରଦେଶରେ ବିଜେପି ୧୧୦ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୧୧୧ଟି ଆସନରେ ଅଗ୍ରଣୀ ରହିଛି । ବିଏସ୍ପି ୨ଟି ଓ ଅନ୍ୟ ଦଳଗୁଡ଼ିକ ୭ଟି ଆସନରେ ଅଗ୍ରଣୀ ଅଛନ୍ତି । ମଧ୍ୟପ୍ରଦେଶ ବିଧାନସଭାର ଆସନ ସଂଖ୍ୟା ୨୩୦ ।

Leave a Reply

Your email address will not be published. Required fields are marked *

Trending

Exit mobile version