କେନ୍ଦ୍ରାପଡା ୨୦/୪ : ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ବେଦ ପ୍ରକାଶ ଅଗ୍ରୱାଲ । ବରିଷ୍ଠ ବିଜେଡି ନେତା ତଥା ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କର ଭୋର ସମୟରେ ଆଜି ପରଲୋକ ଘଟିଛି । ଗତକିଛି ଦିନ ଧରି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୮୨ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବେଦ ପ୍ରକାଶ ।ବେଦପ୍ରକାଶଙ୍କ ଦେହାନ୍ତ ନେଇ ସୂଚନା ଦେଲେ ପରିବାର ଲୋକ ।
ଚଳିତ ନିର୍ବାଚନରେ ପାଟକୁରାରୁ ବିଜେଡି ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ । ବେଦ ପ୍ରକାଶ ଅଗ୍ରଓ୍ବାଲ ୧୬ ଜାନୁଆରୀ ୧୯୩୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ୪ ଚାରିଥର କେନ୍ଦ୍ରାପଡା ଆସନରୁ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ସେ ୨୦୦୯ ଏବଂ ୨୦୧୪ରେ ପାଟକୁରାରୁ ବିଧାୟକଭାବେ ନିର୍ବାଚିତ ହୋଇଥିଲେ । ପୂର୍ବରୁ କେନ୍ଦ୍ରାପଡାରୁ ମଧ୍ୟ ସେ ବିଧାୟକ ଥିଲେ ବେଦ ପ୍ରକାଶ ଅଗ୍ରୱାଲ ରାଜ୍ୟ ସରକାରରେ ଅର୍ଥମନ୍ତ୍ରୀ ମଧ୍ୟ ଥିଲେ ।
ବେଦପ୍ରକାଶ ଅଗ୍ରୱାଲ ୧୯୭୪ ମସିହାରେ ପ୍ରଥମେ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ ସପ୍ତମ ବିଧାନସଭା ଅର୍ଥାତ ୧୯୭୯ରେ ଅନୁଷ୍ଠିତ ନିର୍ବାଚନରେ କେନ୍ଦ୍ରାପଡା ଆସନରୁ ଜନତା ପାର୍ଟିରୁ ନିର୍ବାଚିତ ହୋଇଥିଲେ । ଦଶମ ବିଧାନସଭାକୁ ବେଦ ପ୍ରକାଶ ଜନତା ଦଳ ଟିକେଟରୁ ଳଢି ନିର୍ବାଚିତ ହୋଇଥିଲେ । ଦ୍ୱାଦଶ ନିର୍ବାଚନରେ ତାଙ୍କୁ ବିଜେପି ଟିକେଟାର କେନ୍ଦ୍ରାପଡା ନିର୍ବାଚନ ଲଢିବାକୁ ସୁଯୋଗ ମିଳିଥିଲା ।ଏଥିରେ ବିଜୟୀ ହୋଇ ବିଧାନସଭାରେ ଜଣେ ଟାଣୁଆ ସଦସ୍ୟ ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ । ଏହା ପରେ ନିର୍ବାଚନ ମଣ୍ଡଳୀ ପୁନଃ ନିର୍ଦ୍ଧାରଣ ହେତୁ ବେଦପ୍ରକାଶ ପାଟକୁରା ନିର୍ବାଚନ ମଣ୍ଡଳୀକୁ ପ୍ରାର୍ଥୀ ହୋଇଥିଲେ । ତାଙ୍କର ବିୟୋଗରେ ପାଟକୁରାରେ ଶୋକର ଛାୟା ଖେଳିଯାଇଛି ।