ରାଜ୍ୟ

ବିବାଦରେ ଓଡ଼ିଶା ଆନ୍ତର୍ଜାତିକ ପୁସ୍ତକ ମେଳା

Published

on

ଭୁବନେଶ୍ୱର ୧୪/୧୨ : ଭୁବନେଶ୍ୱରରେ ଆନ୍ତର୍ଜାତିକମାନର ଏକ ପୁସ୍ତକ ମେଳା କରିବା ପାଇଁ ରାଜ୍ୟ ସରକାର ଯେଉଁ ଉଦ୍ୟମ କରିଥିଲେ ତାହା ଏପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ । ବିବାଦ ଯୋଗୁ ଏ କ୍ଷେତ୍ରରେ ଅନିଶ୍ଚିତତା ଲାଗି ରହିଛି । ଭୁବନେଶ୍ୱରରେ ପୁସ୍ତକ ମେଳା ଆୟୋଜନ କରୁଥିବା ବିଭିନ୍ନ ସଂଗଠନର ଆପତ୍ତି ଯୋଗୁ ସରକାରଙ୍କ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ । ସରକାର ସେମାନଙ୍କୁ ଉପେକ୍ଷା କରି ଏଭଳି ମେଳା କରିବାକୁ ଯାଉଛନ୍ତି ବୋଲି ଅଭିଯୋଗ କରି ପୁସ୍ତକମେଳା ଆୟୋଜକମାନେ ସହଯୋଗ କରୁନାହାନ୍ତି । ଫଳରେ ଓଡ଼ିଶାରେ ଆନ୍ତର୍ଜାତିକ ପୁସ୍ତକ ମେଳାର ସ୍ୱପ୍ନ ଅଧାରେ ରହିଯାଇଛି ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ପୁସ୍ତକ ମେଳା, ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ ଓ କଳିଙ୍ଗ ପୁସ୍ତକ ମେଳା ଆୟୋଜକଙ୍କୁ ନେଇ ୨୦୧୯ରେ ଓଡ଼ିଶା ଆନ୍ତର୍ଜାତିକ ପୁସ୍ତକ ମେଳା କରିବା ପାଇଁ ଗତ ଜୁଲାଇ ୧୬ ତାରିଖରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନେଇଥିଲେ । ଏହି ପୁସ୍ତକ ମେଳା ପାଇଁ ସରକାର ମଧ୍ୟ ଓଡ଼ିଶା ପ୍ରକାଶକ ଓ ପୁସ୍ତକ ବିକ୍ରେତା ଗିଲ୍ଡର ସହଯୋଗ ଲୋଡ଼ିଥିଲେ । ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁସ୍ତକ ମେଳା ଆୟୋଜନ କରିବା ପାଇଁ ୧୩ଟି ପ୍ରସ୍ତାବ ଗୃହୀତ ହୋଇଥିଲା । ତେବେ ସରକାରଙ୍କ ନିୟନ୍ତ୍ରଣରେ ଏଭଳି ମେଳା କରିବା ପାଇଁ ୪ଟି ପୁସ୍ତକ ମେଳା ଆୟୋଜକ ରେଣୁକା ମିଶ୍ର, ଉପେନ୍ଦ୍ର କୁମାର ଜେନା, ଅଶୋକ ମହାନ୍ତି ଓ ପୀତବାସ ରାଉତରାୟ ରାଜି ନହୋଇ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ସେମାନେ ସରକାରଙ୍କୁ ଚିଠି ଲେଖି ଜଣାଇ ଥିଲେ ଯେ, ସରକାରୀ ସହାୟତାରେ କୋଲକାତା ଆନ୍ତର୍ଜାତିକ ପୁସ୍ତକ ମେଳା ଯେଭଳି ହେଉଛି ସେହିଭଳି ଢ଼ଙ୍ଗରେ ପୁସ୍ତକ ମେଳା କରାଗଲେ ସେମାନେ ସେଥିରେ ସହଯୋଗ କରିବେ । ସେମାନେ ଦର୍ଶାଇଥିଲେ ଯେ, କୋଲକାତା ପୁସ୍ତକ ମେଳାକୁ ପଶ୍ଚିମବଙ୍ଗ ସରକାର ସହାୟତା ଦେଉଥିଲେ ହେଁ, ମେଳା ପରିଚାଳନାରେ ହସ୍ତକ୍ଷେପ କରନ୍ତି ନାହିଁ । ସେହିଭଳି ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ନ ରହିଲେ ସେମାନେ ଆନ୍ତର୍ଜାତିକ ପୁସ୍ତକ ମେଳା ଆୟୋଜନ ପାଇଁ ସହଯୋଗ କରିବେ ବୋଲି ସର୍ତ ରଖିଥିଲେ । ଫଳରେ ସରକାରଙ୍କ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରିନଥିଲା ।
ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଭୁବନେଶ୍ୱରର ପୁସ୍ତକ ମେଳା ଆୟୋଜକମାନଙ୍କୁ ନେଇ କରିଥିବା ପରିଚାଳନା କମିଟିକୁ ଭାଙ୍ଗି ଦେଇଥିଲେ । ଏବେ ସରକାର ଓଡ଼ିଶା ପ୍ରକାଶକ ଓ ପୁସ୍ତକ ବିକ୍ରେତା ଗିଲ୍ଡର ସହଯୋଗରେ ଓଡ଼ିଶା ଆନ୍ତର୍ଜାତିକ ପୁସ୍ତକ ମେଳା ଆସନ୍ତା ଫେବୃଆରୀରେ କରିବାକୁ ପ୍ରୟାସ କରୁଛନ୍ତି ।
ତେବେ ଭୁବନେଶ୍ୱରର ପୁସ୍ତକ ମେଳା ଆୟୋଜକଙ୍କୁ ନେଇ ଆନ୍ତର୍ଜାତିକ ପୁସ୍ତକ ମେଳା କରିବା ପାଇଁ ସରକାର ଯେଉଁ ଉଦ୍ୟମ କରିଥିଲେ ତାହାର ଯଥାର୍ଥତା ନେଇ ରାଜ୍ୟରେ ଅନ୍ୟାନ୍ୟ ସ୍ଥାନରେ ପୁସ୍ତକ ମେଳା କରୁଥିବା ସଂଗଠନଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି । ସେମାନଙ୍କ କହିବାକଥା ଯେ, ଯଦି ସରକାର ଏଭଳି ଏକ ମେଗା ପୁସ୍ତକ ମେଳାର ଆୟୋଜନ କରୁଛନ୍ତି ତାହେଲେ ସେଥିରେ ଅନ୍ୟ ଅଂଚଳର ପୁସ୍ତକ ମେଳା କମିଟିକୁ କାହିଁକି ସାମିଲ କରୁନାହାନ୍ତି ? ରାଉରକେଲା, କେନ୍ଦ୍ରାପଡ଼ା, ଭଦ୍ରକ, ଜଟଣୀ ଓ ବ୍ରହ୍ମପୁରରେ ପୁସ୍ତକ ମେଳା କରୁଥିବା ସଂଗଠନଗୁଡ଼ିକ ଏହାର ଦୃଢ଼ ପ୍ରତିବାଦ କରିଛନ୍ତି । କେନ୍ଦ୍ରାପଡ଼ା ପୁସ୍ତକ ମେଳା ପରିଚାଳନା କମିଟିର ସଭାପତି ବିରଜା ରାଉତରାୟ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ଓଡ଼ିଶା ଆନ୍ତର୍ଜାତିକ ପୁସ୍ତକ ମେଳା ଆୟୋଜନ କରିବା ପୂର୍ବରୁ ରାଜ୍ୟର ବିଭନ୍ନ ସ୍ଥାନରେ ଥିବା ପୁସ୍ତକ ମେଳା ଆୟୋଜନ କମିଟି ସହ ବିଚାର ପରାମର୍ଶ କରିବା ଉଚିତ୍ ଥିଲା । ମେଗା ପୁସ୍ତକ ମେଳା ଆୟୋଜନ ପ୍ରକ୍ରିୟାରେ ସବୁ ଜିଲ୍ଲା ଓ ଛୋଟ ସହରର ପୁସ୍ତକ ମେଳା ପରିଚାଳନା କମିଟିକୁ ସାମିଲ କରିବା ପାଇଁ ସେ ସଂସ୍କୃତି ମନ୍ତ୍ରୀ ଓ ସଂସ୍କୃତି ସଚିବଙ୍କ ନିକଟରେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version