ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ କିଡ୍ନି ରୋଗୀଙ୍କ ପାଇଁ ଆରମ୍ଭ ହୋଇଥିବା ମାଗଣା ଡାଏଲିସିସ୍ ସେବା ‘ସହାୟ’ ଆରମ୍ଭରୁ ବିବାଦ ଘେରକୁ ଆସିଛି। ପିପିପି ମୋଡ୍ରେ ଚାଲୁଥିବା ଏହି ଡାଏଲିସିସ୍ ସେବାରେ ରୋଗୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ଗୋଟିଏ କି ଦୁଇଟି ଜିଲ୍ଲାରେ ନୁହେଁ ୪ରୁ ଅଧିକ ଜିଲ୍ଲାରେ ଏଭଳି ଅବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି। କେଉଁଠି ରୋଗୀଙ୍କ ପାଇଁ ଡାକ୍ତର ଉପଲବ୍ଧ ନାହାନ୍ତି ତ ଆଉ କେଉଁଠି ରୋଗୀଙ୍କୁ ଦିଆଯାଉଥିବା ମାଗଣା ଇଞ୍ଜେକସନ୍ର କଳାବଜାରୀ ହେଉଛି। ଏମିତିକି ଏସବୁ କେନ୍ଦ୍ରରେ ନିଯୁକ୍ତି ଦିଆଯାଉଥିବା ଟେକ୍ନିସିଆନ୍ମାନଙ୍କୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜାଲ ଅଭିଜ୍ଞତା ସାର୍ଟିଫିକେଟ୍ ଦର୍ଶାଇ ଟେକ୍ନିସିଆନ୍ ନିଯୁକ୍ତି ହୋଇଥିବା ନଜରକୁ ଆସୁଛି। ଫଳରେ ପିପିପି ମୋଡ୍ରେ ଆରମ୍ଭ ହୋଇଥିବା ଏହି କେନ୍ଦ୍ରରେ ରୋଗୀଙ୍କ ଜୀବନ ସହିତ ଏମିତି ଖେଳ ଚାଲିଛି।
ଗତବର୍ଷ ଡିସେମ୍ବର ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ସହାୟ’ ଯୋଜନା ଘୋଷଣା କରିଥିଲେ। ଚଳିତବର୍ଷ ପହିଲାରୁ ପିପିପି ମୋଡ୍ରେ ଏହି ଯୋଜନା ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ ମାଗଣା ଡାଏଲିସିସ୍ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଏ ପର୍ଯ୍ୟନ୍ତ ୨୧ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହୋଇପାରିଛି। ରାହି କେୟାର ପକ୍ଷରୁ ପିପିପି ମୋଡ୍ରେ ଡାଏଲିସିସ୍ ସେବା ଦିଆଯାଉଛି। ହେଲେ ସଂପୃକ୍ତ ସଂସ୍ଥାର ବିଶ୍ବସନୀୟତା ନେଇ ଗଦାଗଦା ପ୍ରଶ୍ନ ଉଠିଲାଣି। ନୂଆପଡ଼ା ଜିଲ୍ଲାରେ ଡାଏଲିସିସ୍ କେନ୍ଦ୍ରରେ ନିଯୁକ୍ତ ହୋଇଥିବା ଡାକ୍ତର ସଂପୃକ୍ତ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଛନ୍ତି। ୩ଟି ପର୍ଯ୍ୟାୟରେ ୧୨ ଘଣ୍ଟା ଡାଏଲିସିସ୍ ଚାଲୁଛି। ଏପରିସ୍ଥଳେ ଦୁଇଟି ସ୍ଥାନରେ ଜଣେ ଡାକ୍ତର କିଭଳି କାର୍ଯ୍ୟ କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେହିପରି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଏଲିସିସ୍ କେନ୍ଦ୍ରରେ ରୋଗୀଙ୍କ ଚିକିତ୍ସା ନେଇ କେହି ଡାକ୍ତର ନ ଥିବା ଅଭିଯୋଗ ହୋଇଛି। ଟେକ୍ନିସିଆନ୍ ହିଁ ସର୍ବେସର୍ବା। ଡାଏଲିସିସ୍ ସମୟରେ ଜଣେ ଡାକ୍ତରଙ୍କ ଉପସ୍ଥିତ ରହିବାର ନିୟମ ଥିଲେ ହେଁ ବିନା ଡାକ୍ତରଙ୍କ ଉପସ୍ଥିତିରେ ଡାଏଲିସିସ୍ ହେଉଛି। ଏହାସହ କିଡ୍ନି ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଜଣେ ନେଫ୍ରୋଲୋଜିଷ୍ଟ ଆବଶ୍ୟକ ରହିଛି। ହେଲେ ମୁଖ୍ୟ ଚିକିତ୍ସାଳୟକୁ ନେଫ୍ରୋଲୋଜିଷ୍ଟ ଆସୁ ନ ଥିବାରୁ ରୋଗୀମାନେ ଘରୋଇ ଡାକ୍ତରଖାନା ସେମାନଙ୍କ ରିପୋର୍ଟ ଦେଖାଇବାକୁ ବାଧ୍ୟ ହେଉଛନ୍ତି।