ଭୁବନେଶ୍ୱର ୧୩/୧୨ : କେନ୍ଦ୍ରରୁ ଆସିଥିବା ଏନ୍ସିପିସିଆର ଟିମ୍ ଆଜି ରାଜ୍ୟର ବିଭିନ୍ନ ସେଲ୍ଟର ହୋମ୍ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଟିମ୍ ଭୁବନେଶ୍ୱରଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସେଲ୍ଟର ହୋମ୍ଗୁଡ଼ିକର ଅବସ୍ଥା ସମ୍ପର୍କରେ ରାଜ୍ୟ ସରକାରଙ୍କ କର୍ମକର୍ତ୍ତା ଓ ଶିଶୁ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ବୈଠକ ପରେ କେନ୍ଦ୍ରୀୟ ପ୍ରତିନିଧିଦଳର ସଦସ୍ୟ ଯଶବନ୍ତ ଜୈନ କହିଛନ୍ତି ଯେ, ସେଲ୍ଟର ହୋମ୍ଗୁଡ଼ିକରେ ରହୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ପୂର୍ବରୁ କେନ୍ଦ୍ର ସରକାର ଯେଉଁ ନୀତି ନିର୍ଦ୍ଦେଶ ଦେଇଥିଲେ ତାହା ସଠିକ୍ କାର୍ଯ୍ୟକାରୀ ହେଉନଥିବା ସେମାନେ ଅନୁଭବ କରିଛନ୍ତି । ଏହି ଟିମ୍ ଖୁବ୍ଶୀଘ୍ର କେନ୍ଦ୍ର ସରକାରଙ୍କୁ ନିଜ ଅନୁଧ୍ୟାନ ରିପୋର୍ଟ ପ୍ରଦାନ କରିବ । ଯେଉଁ ସେଲ୍ଟର ହୋମ୍ଗୁଡ଼ିକରେ ଶିଶୁ ସୁରକ୍ଷା ନିୟମ ପାଳନ କରାଯାଉନଥିବ ସେଗୁଡ଼ିକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଜୈନ କହିଛନ୍ତି । ଏହି ଟିମ୍ ଆଜି ଝାରସୁଗୁଡ଼ା, ବଲାଙ୍ଗିର, ଢ଼େଙ୍କାନାଳର ବେଲଟିକିରି ସହ ଅନ୍ୟ କେତେକ ସେଲ୍ଟର ହୋମ୍ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ ।