ଭୁବନେଶ୍ୱର ୧/୧୨ : ରାଜ୍ୟରେ ଥିବା ବେଆଇନ୍ ସେବାଶ୍ରମ ଓ ସେଲ୍ଟର ହୋମ୍ଗୁଡ଼ିକୁ ବନ୍ଦ କରିଦିଆଯିବ । ଶନିବାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଘୋଷଣା କରିଛନ୍ତି । ଢ଼େଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ବେଲଟିକିରି ଗାଁରେ ଥିବା ଗୁଡ୍ ନ୍ୟୁ ଇଣ୍ଡିଆର ସେଲ୍ଟର ହୋମ୍ରେ ଦୀର୍ଘଦିନ ଧରି ଚାଲିଥିବା କେଳେଙ୍କାରୀ ପଦାକୁ ଆସିବା ପରେ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ବେଆଇନ୍ ସେବାଶ୍ରମଗୁଡ଼ିକୁ ତୁରନ୍ତ ବନ୍ଦ କରିବା ପାଇଁ ମନ୍ତ୍ରୀ ଶ୍ରୀ ସାମଲ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବେଲଟିକିରି ସେଲ୍ଟର ହୋମ୍ରେ ବାଳକବାଳିକାଙ୍କୁ ଅସଦାଚରଣ ଘଟଣାରେ ଏହାର ପରିଚାଳକ ସୀମାଂଚଳ ନାୟକଙ୍କୁ ଗିରଫ କରାଯାଇଛି । ଏହି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଫୟାଜ ରହମନ୍ଙ୍କୁ ପୋଲିସ ଅଟକ ରଖିଥିବା ଖବର ମିଳିଛି । ଶନିବାର ସ୍ଥାନୀୟ ଲୋକମାନେ ଏହି କେଳେଙ୍କାରୀ ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ନିଆଁ ଜାଳି ରାସ୍ତା ଅବରୋଧ କରିବା ସଙ୍ଗେ ସଙ୍ଗେ ଦୋଷୀମାନଙ୍କ ପ୍ରତି ଉପଯୁକ୍ତ ଦଣ୍ଡ ବିଧାନ ପାଇଁ ଦାବି କରିଛନ୍ତି । ଉପ-ଜିଲ୍ଲାପାଳ ପୀତାମ୍ବର ସାମଲ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଛନ୍ତି ।