ଭୁବନେଶ୍ୱର ୧୫/୫ :ଭୁବନେଶ୍ୱରରେ ଫନି କ୍ଷୟକ୍ଷତି ଅନୁଧ୍ୟାନ କରୁଛନ୍ତି କେନ୍ଦ୍ରୀୟ ଟିମ୍। ପ୍ରଥମେ କଳିଙ୍ଗ ଷ୍ଟାଡିୟମ ଯାଇ କ୍ଷୟକ୍ଷତିର ଆକଳନ କରିଛନ୍ତି । ରାଜଧାନୀର ଅନ୍ୟ ଅଂଚଳକୁ ଯାଇ ମଧ୍ୟ ଅନୁଧ୍ୟାନ କରିବେ । ତାପରେ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି । ଅପରାହ୍ନରେ କେନ୍ଦ୍ରୀୟ ଟିମ୍ ଦିଲ୍ଲୀ ଫେରିଯିବେ । ଏହି ଟିମ୍ ବାତ୍ୟା କ୍ଷୟକ୍ଷତିର ଆକଳନ ନେଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ।
ଏହାପୂର୍ବରୁ ଗତକାଲି କଟକ ଜିଲ୍ଲାରେ ବିଭିନ୍ନ ଅଚଳ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ଟିମ୍ । କଟକ ଜିଲ୍ଲାପାଳଙ୍କ ସହ କଂଟାପଡା ବ୍ଲକର ବିଭିନ୍ନ ଗ୍ରାମରେ ବାତ୍ୟାର କ୍ଷୟକ୍ଷତି ବୁଲି ଦେଖିଛନ୍ତି । ନିଆଳି ଓ ବେଗୁନିଆରେ ବି କ୍ଷୟକ୍ଷତିର ଆକଳନ କରିଥିଲା ଟିମ । ଏହି ସମୟରେ କେନ୍ଦ୍ରୀୟ ଟିମର ସଦସ୍ୟମାନେ ବାତ୍ୟା ପୀଡିତ ପରିବାରମାନଙ୍କ ସହ ଆଲୋଚନା କରିଥିଲେ । ପ୍ରଥମ ଦିନରେ କେନ୍ଦ୍ରୀୟ ଟିମ୍ ଖୋର୍ଦ୍ଧା ଓ ପୁରୀରେ କ୍ଷୟକ୍ଷତି ଆକଳନ କରିଥିବା ବେଳେ ରାଜ୍ୟ ସରକାରଙ୍କ ବାତ୍ୟା ପ୍ରସ୍ତୁତି ଏବଂ ପରେ ପୁନରୁଦ୍ଧାର ପ୍ରକ୍ରିୟାକୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ୧୧ ଜଣିଆ ଟିମ୍ ଫୋନି ବାତ୍ୟାର କ୍ଷୟକ୍ଷତି ନେଇ ଆକଳନ କରୁଛନ୍ତି । ଫୋନି ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ କରିବା ପାଇଁ ଆସିଥିବା ଦୁଇଟି କେନ୍ଦ୍ରୀୟ ଦଳ ଲଗାତର ଦ୍ବିତୀୟ ଦିନ ପାଇଁ ଜିଲ୍ଲା ଗସ୍ତ କରି ସ୍ଥିତି ପରଖିଛନ୍ତି।