ଭୁବନେଶ୍ୱର ୧୮/୬ : ରାଜ୍ୟର ସମସ୍ତ ସରକାରୀ ଓ ଅନୁବନ୍ଧିତ ହସ୍ପିଟାଲ ଭଳି ଏମ୍ସରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଫାଇଦା ପାଇବେ ଲୋକେ । ଆଜି ଠାରୁ ବିଧିବଦ୍ଧ ଭାବେ ଭୁବନେଶ୍ୱର ଏମ୍ସରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ଏମ୍ସ ନିର୍ଦ୍ଦେଶିକା ଉପସ୍ଥିତିରେ ଏନେଇ ଏମଓୟୁ ସ୍ୱାକ୍ଷରିତ ହୋଇଛି ।
ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ଓ ରାଜ୍ୟ ବାହାରର ୨୦୮ଟି ହସ୍ପିଟାଲକୁ ସାମିଲ କରାଯାଇଥିଲା । ତେବେ ପରେ ଏହାର ପରଧିକୁ ବଢାଯାଇଥିଲା । ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ ଏହି ଯୋଜନାକୁ ଲାଗୁ କରାଯାଇଥିଲା । କିନ୍ତୁ ସେତେବେଳେ ଭୁବନେଶ୍ୱର ଏମ୍ସରେ ଏହାକୁ ଲାଗୁ କରାଯାଇନଥିଲା । କିନ୍ତୁ ଏବେ ଏହି ଯୋଜନାର ଫାଇଦା ଭୁବନେଶ୍ୱର ଏମ୍ସରେ ମଧ୍ୟ ପାଇପାରିବେ ରୋଗୀ । ସାଧାରଣ ଲୋକଙ୍କୁ ଉତ୍ତର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଗତବର୍ଷ ଅଗଷ୍ଟ ୧୫ରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରାଯାଇଥିଲା । ପ୍ରାୟ ୭୦ ଲକ୍ଷ ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇଥିଲା ।