ରାୟପୁର ୧୬/୧୨ : ଦୀର୍ଘ ୬ ଦିନର ଅପେକ୍ଷା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଛତିଶଗଡ଼ରେ ସୃଷ୍ଟି ହୋଇଥିବା ସସପେନ୍ସ ଏବେ ଶେଷ ହୋଇଛି । ରାଜ୍ୟର ଶାସନ ଦାୟିତ୍ୱ ଭୂପେଶ ବାଘେଲଙ୍କୁ ଦେବା ପାଇଁ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି । ରବିବାର କଂଗ୍ରେସ ବିଧାୟକ ଦଳର ବୈଠକ ପରେ ପ୍ରଦେଶ ପ୍ରଭାରୀ ପିଏଲ୍ ପୁନିଆ ଓ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡଗେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଭୂପେଶ ବାଘେଲଙ୍କ ନାମ ଘୋଷଣା କରିଥିଲେ । ବାଘେଲ ଆସନ୍ତା କାଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ । ସୋମବାର ମଧ୍ୟ ରାଜସ୍ଥାନ ଓ ମଧ୍ୟପ୍ରେଦେଶ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅଶୋକ ଗେହେଲଟ ରାଜସ୍ଥାନ ଓ କମଳନାଥ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ ।