ଦେଶ ବିଦେଶ

ମଧ୍ୟପ୍ରଦେଶ ଓ ମିଜୋରାମରେ ମତଦାନ ଶେଷ, ଦୁଇ ପୁଲିଂ ଅଧିକାରୀଙ୍କ ମୃତ୍ୟୁ

Published

on

ନୂଆଦିଲ୍ଲୀ ୨୮/୧୧ : ମଧ୍ୟପ୍ରଦେଶ ଓ ମିଜୋରାମ ବିଧାନସଭା ପାଇଁ ବୁଧବାର ସନ୍ଧ୍ୟାରେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ଉଭୟ ରାଜ୍ୟର କୋ÷ଣସି ସ୍ଥାନରେ ବଡ଼ ଧରଣର ହିଂସାକାଣ୍ଡ ଘଟିନାହିଁ । ମଧ୍ୟପ୍ରଦେଶର ୨୩୦ଟି ଆସନ ପାଇଁ ମତଦାନ କରାଯାଇଥିବାବେଳେ ମିଜୋରାମର ୪୦ଟି ଆସନ ପାଇଁ ଭୋଟ ଦାନ ଶେଷ ହୋଇଛି ।
ମଧ୍ୟପ୍ରଦେଶ ବିଧାନସଭା ପାଇଁ ବୁଧବାର ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି । ଏହି ନିର୍ବାଚନରେ ମୋଟ୍ ୨୯୦୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ବନ୍ଦ ହୋଇଛି । ବୁଧବାର ସକାଳୁ ବହୁ କେନ୍ଦ୍ରରେ ଭୋଟ୍ଦାତାଙ୍କ ଧାଡ଼ି ଲାଗିଥିଲା । ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟକ ମହିଳା ମଧ୍ୟ ଭୋଟ୍ ଦାନ କରିଥିବାର ଦେଖାଯାଇଥିଲା । ରାଜ୍ୟର ମୋଟ ୬୫,୩୬୭ ବୁଥ୍ରେ ଲୋକମାନେ ଭୋଟ୍ ଦେଇଥିଲେ । ତେବେ ଶତାଧିକ ସ୍ଥାନରେ ଭୋଟିଂ ମେସିନ୍ ଅଚଳ ହେବାରୁ ସେଠାରେ ମତଦାନ ବ୍ୟାହତ ହୋଇଥିଲା । ପରେ ସେଗୁଡ଼ିକୁ ବଦଳା ଯିବାପରେ ଲୋକମାନେ ପୁଣି ଭୋଟ ଦାନ କରିଥିଲେ । ତେବେ ଇନ୍ଦୋର ଓ ଗୁନାର ଦୁଇଟି ମତଦାନ କେନ୍ଦ୍ରରେ ଦୁଇଜଣ ପୁଲିଂ ଅଧିକାରୀଙ୍କ ଆକସ୍କିକ ମୃତ୍ୟୁ ଘଟିଛି । ହୃଦ୍ଘାତରେ ସେମାନଙ୍କ ମୃତ୍ୟୁ ଘଟିଥିବା ଏକ ସୂତ୍ରରୁ କୁହାଯାଇଥିଲେ ହେଁ, ପ୍ରକୃତ କାରଣ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ନିର୍ବାଚନ ଦାୟିତ୍ୱରେ ଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ନିର୍ବାଚନ କମିଶନଙ୍କ ପକ୍ଷରୁ ୨ ଅଧିକାରୀଙ୍କ ପରିବାରବର୍ଗଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି ।
ମିଜୋରାମ୍ର ୪୦ଟି ବିଧାନସଭା ଆସନ ପାଇଁ ବୁଧବାର ମତଦାନ କରାଯାଇଥିଲା । ଏହି ନିର୍ବାଚନରେ ମୋଟ୍ ୨୦୯ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେଥିମଧ୍ୟରୁ ୧୮ ଜଣ ହେଲେ ମହିଳା । ରାଜ୍ୟର ଭୋଟ ଦାତାଙ୍କ ସଂଖ୍ୟା ୭ ଲକ୍ଷ ୭୦ ହଜାର ।

Leave a Reply

Your email address will not be published. Required fields are marked *

Trending

Exit mobile version