ଜୟପୁର ୫/୬ : ଜଣେ ଦଳିତ ଯୁବକଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରିବା ମାମଲା ସାମ୍ନାକୁ ଆସିଛି। ଘଟଣା ଜୈତାରଣ ଉପଖଣ୍ଡର ରାସ ଥାନା ଅନ୍ତର୍ଗତ ଧନୋରିଆ ଗାଁରେ ଘଟିଛି। ପୀଡ଼ିତ ଯୁବକ ଛାଡ଼ି ଦେବାକୁ ନେହୁରା କଲେ ମଧ୍ୟ ଆରୋପୀମାନେ ତାଙ୍କୁ ପିଟି ଚାଲିଥିଲେ। ଏହି ମାମଲାରେ ରାଜସ୍ଥାନ ପୋଲିସ କହିଛି ଯେ, ନାବାଳକ ଦଳିତ ଯୁବକ ବିରୋଧରେ ଯୁବତୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଦଳିତ ଯୁବକ ବିରୋଧରେ ପୋସ୍କୋ ଆକ୍ଟ ଆଧାରରେ ମାମଲା ରୁଜୁ କରାଯାଇଛି। ପ୍ରାଥମିକ ତଦନ୍ତ ପରେ ନାବାଳକକୁ ସଂରକ୍ଷଣ ଗୃହକୁ ପଠାଦିଆଯାଇଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ସ୍ଥାନୀୟ ଯୁବକ ନାବାଳକକୁ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ସେମାନଙ୍କୁ ମଧ୍ୟ ରିମାଣ୍ଡରେ ନିଆଯାଇଛି।
କିଛି ମିଡିଆ ରିପୋର୍ଟ୍ସ ମୁତାବକ ଦଳିତ ଯୁବକ ଗାଁର ମନ୍ଦିରକୁ ଯିବାକୁ ଉଦ୍ୟମ କରୁଥିଲା। ଏହା ପରେ କିଛି ଯୁବକ ନାବାଳକକୁ ଉଚିତ୍ ଶିକ୍ଷା ଦେବା ପାଇଁ ତାର ହାତ ଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିବା ଆରମ୍ଭ କରିଥିଲେ। ଭିଡିଓରେ ଦଳିତ ନାବାଳକ ହାତ ଯୋଡି ତାକୁ ଛାଡ଼ି ଦେବାକୁ ନେହୁରା କରୁଥିଲା ଏବଂ କେବେ ବି ମନ୍ଦିର ନଯିବାକୁ କହୁଥିଲେ ମଧ୍ୟ ପିଟୁଥିବା ଯୁବକମାନେ କିଛି ଶୁଣିନଥିଲେ। ପୀଡିତ ଯୁବକର ପରିବାର ଲୋକ ମଧ୍ୟ ଆରୋପୀ ଯୁବକଙ୍କ ବିରୋଧରେ ଥାନାରେ ଏତଲା ଦାୟର କରିଛନ୍ତି। ଆରୋପୀ ପ୍ରଭାବଶାଳୀ ପରିବାର ହୋଇଥିବା ଯୋଗୁଁ ପୋଲିସ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେଉନଥିବା ପୀଡିତ ଯୁବକର ପରିବାର ଲୋକ ଅଭିଯୋଗ କରିଛନ୍ତି।