National

ମମତାଙ୍କ ପାଇଁ ଅଡୁଆ: ଅମିତ ଶାହା ବୁଝିବେ ବଙ୍ଗଳା କଥା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନମୁଖୀ ପଶ୍ଚିମବଙ୍ଗରେ ମମତାଙ୍କ ଅଡୁଆ ବଢୁଛି। ବିଜେପି ଗୁରୁତ୍ୱପୂର୍ଣ୍ଣ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦଳରେ ରାଜନୈତିକ ଚାଣକ୍ୟ ଭାବେ ଜଣାଶୁଣା ଅମିତ ଶାହାଙ୍କୁ ଦାୟିତ୍ୱ ଦେବାପରେ ମମତାଙ୍କ ଆଶଙ୍କା ବୃଦ୍ଧି ପାଇଛି।

କଂଗ୍ରେସର ନୂତନ ସଭାପତି ଅଧୀର ରଂଜନ ଚୌଧରୀ ବାମଦଳ ସହ ମେଣ୍ଟ କରି ନିର୍ବାଚନ ପାଇଁ ପ୍ରସ୍ତୁତ ହେଉ ଥିବାବେଲେ ବିଜେପିର ଅମିତ ଶାହା-ମୁକୁଲ ରାୟ ଯୋଡି ମମତାଙ୍କ ମୁଣ୍ଡବିନ୍ଧା ବଢ଼େଇ ଦେଇଛି।

ପଶ୍ଚିମବଙ୍ଗରେ ବିଧାନସଭା ପାଇଁ ନିର୍ବାଚନ ଆସନ୍ତା ବର୍ଷ ମାର୍ଚ୍ଚ-ଏପ୍ରିଲ ରେ ହେବ। ଦେଶର ଭାବିଷ୍ୟତ ରାଜନୈତିକ ରୂପରେଖ ପାଇଁ ୨୯୪ ଆସନ ବିଶିଷ୍ଟ ଏହି ରାଜ୍ୟ ବିଧାନସଭା ନିର୍ବାଚନ ସମସ୍ତ ରାଜନୈତିକ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଗତ ୨୦୧୬ ନିର୍ବାଚନରେ ମମତା ବନାର୍ଜୀଙ୍କ ତୃଣମୂଳ କଂଗ୍ରେସ ୨୧୧ ଟି ଆସନରେ ବିଜୟଲାଭ କରି ଦ୍ଵିତୀୟଥର ପାଇଁ ସରକାର ଗଠନ କରିବାରେ ସକ୍ଷମ ହୋଇଥିଲା। କଂଗ୍ରେସ-ବାମଦଳ ମେଣ୍ଟକୁ ୭୬ ଟି ଆସନ ମିଳିଥିବା ବେଳେ ବିଜେପିକୁ ମାତ୍ର ତିନୋଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ତେବେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ଅହେତୁକ ସଫଳତା ମିଳିଥିଲା। ଦଲକୁ ୪୧ ପ୍ରତିଶତ ଭୋଟ ମିଳିବା ସଙ୍ଗେ ସଙ୍ଗେ ୪୨ ଲୋକସଭା ଆସନରୁ ୧୮ ଟି ଆସନ ମିଳିଥିଲା।

ରାଜ୍ୟସଭାରେ ସଂଖ୍ୟା ଅଭାବରୁ ଶାସକ ବିଜେପି ବାରଂବାର ହୀନସ୍ତା ହେବାକୁ ପଡୁଛି। ବିଧାନସଭାରେ ଆସନ ସଂଖ୍ୟା ବୃଦ୍ଧି ପାଇଲେ ରାଜ୍ୟସଭାରେ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ। ଏହି କାରଣରୁ ବିଜେପି ପାଇଁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ମଧ୍ୟ ଏଥରର ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିର୍ବାଚନରେ ଜିତି ସରକାର ଗଠନ କରିପାରିଲେ ଦଳ ରହିବ। ତା’ ନହେଲେ ଚିଟଫଣ୍ଡ ଦୁର୍ନୀତି ଏବଂ ନାରଦ ଷ୍ଟିଙ୍ଗ ଅପରେସନର ତଦନ୍ତ ଭାରରେ ଦଳ ଛିନ ଛତର ହୋଇଯିବ।

ଏଣୁ ମମତା ଆଗୁଆ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ରାଜ୍ୟ ରାସ୍ତା ଘାଟ ସବୁର ପ୍ରଶସ୍ତି କରଣ ଏବଂ ଉନ୍ନତୀକରଣ ଯୋଜନାରେ ଶୁଭ ଉନ୍ମୋଚନ କଲେଣି।

ଅନ୍ୟପକ୍ଷରେ କଂଗ୍ରେସ ଲୋକସଭାରେ ଥିବା ଦଳର ନେତା ଅଧୀର ରଂଜନ ଚୌଧୁରୀଙ୍କୁ ରାଜ୍ୟ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ଦେଇ ସଂଗଠନକୁ ସୁଦୃଢ଼ କରିବାର ପ୍ରୟାସ ଆରମ୍ଭ କରିଛି। ଗତ୨୦୧୬ ନିର୍ବାଚନରେ ଚୌଧରୀ ନେତୃତ୍ୱ ନେଇ ବାମପନ୍ଥୀ ଦଳ ସହ ଏକ ମେଣ୍ଟ କରି ନିର୍ବାଚନର ସମ୍ମୁଖୀନ ହୋଇଥିଲେ। ସେଥିରେ କିଛିଟା ସଫଳତା ମିଳିଥିଲା।

ବିଜେପି ମଧ୍ୟ ପଛରେ ପଡି ନାହିଁ। ନିର୍ବାଚକୁ ଦୃଷ୍ଟିରେ ରଖି ଦଳ ମକୁଲ ରାୟ ଙ୍କୁ ଜାତୀୟ ସଂଗଠନରେ ସ୍ଥାନ ଦେଇ ସାଧାରଣ ସମ୍ପାଦକ ପଦବୀ ଦେଇଛି। ମମତାଙ୍କ ରାଜନୈତିକ ସଫଳତା ପଛରେ ଏକଦା ମୁକୁଲଙ୍କର ହାତ ଥିଲା। ଘଟଣାକ୍ରମରେ ମୁକୁଲ ତୃଣମୂଳ ଛାଡି ଆଜି ବିଜେପିରେ ଅଛନ୍ତି।

ତେବେ ଦଳ ବର୍ତ୍ତମାନ ପଶ୍ଚିମବଙ୍ଗରେ ପୁର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ବର୍ତ୍ତମାନର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ରାଜ୍ୟରେ ନିର୍ବାଚନ ଦାଇତ୍ୱ ଦେଇପାରେ। ନିର୍ବାଚନ ରଣକୌଶଳ ତିଆରି କରିବାରେ ସିଦ୍ଧହସ୍ତ ଶାହା ହିଁ ଦଳର ଏକମାତ୍ର ସହାରା।

ଗତ କିଛିଦିନ ଧରି ଅସୁସ୍ଥ ଥିବେ ଅମିତ ଶାହା ଅକ୍ଟୋବର ମାସ ଦ୍ଵିତୀୟ ସପ୍ତାହରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ ଏବଂ ଏହି ସମୟରେ ଅର୍ଥାତ ପୂଜା ଅବସରରେ ଅନେକ ସାଧାରଣ ସଭାରେ ଉଦବୋଧନ ଦେଇ ଦଳର ନିର୍ବାଚନ ପ୍ରଚାରରେ ଶୁଭାରମ୍ଭ କରିବେ।

Leave a Reply

Your email address will not be published. Required fields are marked *

Trending

Exit mobile version