ଭୁବନେଶ୍ଵର ୨୫/୨ : ମହାନଦୀ ଜଳ ବିବାଦ ମାମଲାରେ ଆଜି ବସିଥିବା ବୈଷୟିକ କମିଟି ବୈଠକ ଶେଷ ହୋଇଛି । କିନ୍ତୁ ବୈଠକର ନିଷ୍କର୍ସ କ’ଣ ବାହାରିଛି ତାହାକୁ ଉଭୟ ରାଜ୍ୟ ପକ୍ଷରୁ ଗୋପନୀୟ ରଖାଯାଇଛି । ବୈଠକର ନିଷ୍ପତ୍ତି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲକୁ ଦିଆଯିବ ବୋଲି ଓଡ଼ିଶା ଜଳ ସମ୍ପଦ ସଚିବ ପ୍ରଦୀପ ଜେନା କହିଛନ୍ତି । ଅପରପକ୍ଷେ ମହାନଦୀ ନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼ ଜଳ ସଂପଦ ମନ୍ତ୍ରୀ ରବୀନ୍ଦ୍ର ଚୌବେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମହାନଦୀକୁ ନେଇ ଛତିଶଗଡ଼ ପକ୍ଷରୁ କୌଣସି ବିବାଦ ନାହିଁ।
ସେ କହିଛନ୍ତି ଯେ, ଓଡ଼ିଶା ଭାବୁଛି ଯେ ଆମେ ଅଧିକ ପାଣି ନେଇ ଯାଉଛୁ। ମାତ୍ର ସେମିତି କିଛି ନାହିଁ। ଆମେ ମହାନଦୀରୁ ଆବଶ୍ୟକ ୭୦ ରୁ ୭୫ ଏମସିଏମ ପାଣି ଉପଯୋଗ କରୁଛୁ। ଆମକୁ ମହାନଦୀ ପାଣିକୁ ଅଧିକ ଉପଯୋଗ କରିବାର ଅଛି। ମହାନଦୀ ଜଳକୁ ଓଡ଼ିଶା କେମିତି ଉପଯୋଗ କରିବ ତାହା ତାଙ୍କ ଉପରେ ନିର୍ଭର କରେ। ଆମେ ଚାହୁଁଛୁ ଶୀଘ୍ର ସମାଧାନର ରାସ୍ତା ବାହାରୁ ଏବଂ ସହମତିରେ ସମାଧାନ ହେଉ।
ଏଠାରେ ଉଲ୍ଲେଖ ଯୋଗ୍ୟ, ସତ୍ୟପାଠ ଜରିଆରେ ଓଡ଼ିଶା ଅଣମୌସୁମୀରେ ଅର୍ଥାତ୍ ନଭେମ୍ବରରୁ ମେ’ ମାସ ମଧ୍ୟରେ ୧.୭୪ ନିୟୁତ କୋଟି ଘନଫୁଟ ଜଳ ଦାବି କରିଥିଲା । ଚଳିତ ମାସ ୯ ତାରିଖ ଶୁଣାଣୀରେ ପରସ୍ପରଙ୍କ ମଧ୍ୟରେ ଆପୋସ ସମାଧାନ ଲାଗି ଉଭୟ ରାଜ୍ୟଙ୍କୁ ଟ୍ରିବ୍ୟୁନାଲ କହିଥିଲେ । ଯଦି ଆଲୋଚନା ବିଫଳ ହୁଏ ତାହା ହେଲେ ଆସନ୍ତା ମାର୍ଚ୍ଚ ୯ରେ ଓଡ଼ିଶା ପକ୍ଷରୁ ଆବେଦନ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଯାଚିକାର ଚୂଡ଼ାନ୍ତ ରାୟ ଆସିବ ।