ନୂଆଦିଲ୍ଲୀ ୧୫/୧୨ : ମହାନଦୀ ବିବାଦ ସମ୍ପର୍କରେ ସତ୍ୟପାଠ ଦାଖଲ ପାଇଁ ଟ୍ରିବ୍ୟୁନାଲ ଓଡ଼ିଶାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ୨ ସପ୍ତାହ ମହଲତ ଦିଆଯାଇଛି । ଓଡ଼ିଶା ସରକାର ୨ ସପ୍ତାହ ମଧ୍ୟରେ ତାଙ୍କର ନୂଆ ସତ୍ୟପାଠ ଦାଖଲ କରିବେ । ୨୦ ବର୍ଷ ମଧ୍ୟରେ ମହାନଦୀ ଅବବାହିକାରେ କେତେ ପରିମାଣର ବର୍ଷା ହୋଇଛି ଓ ସେ ସମୟ ମଧ୍ୟରେ ଜଳ ପ୍ରବାହର ସ୍ଥିତି କ’ଣ ସେ ସମ୍ପର୍କରେ ସତ୍ୟପାଠ ମାଧ୍ୟମରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ପାଇଁ ଓଡ଼ିଶା ସରକାରଙ୍କୁ କୁହାଯାଇଛି । ଓଡ଼ିଶା ସରକାରଙ୍କ ସତ୍ୟପାଠ ପରେ ଛତିଶଗଡ଼ ସରକାର ଜବାବୀ ସତ୍ୟପାଠ ଦାଖଲ କରିବେ । ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ବ୍ୟାରେଜ୍ ନିର୍ମାଣ କରୁଥିବା ଘଟଣାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ସୃଷ୍ଟି ହେବାରୁ ଏହି ମାମଲା ମହାନଦୀ ଟ୍ରିବ୍ୟୁନାଲରେ ପହଂଚିଛି । ଫେବୃଆରୀ ୯ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବ ।