ପୁରୀ : ପବିତ୍ର କାର୍ତିକ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର ଓ ମା’ ସୁଭଦ୍ରା ଆଜି ଦୁର୍ଲଭ ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପ୍ରାୟ ୪ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଏହି କମନୀୟ ବେଶକୁ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ଦର୍ଶନ ପାଇଁ ମରିଚିକୋଟ ଛକରୁ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗିଥିବା ବେଳେ ବଡ଼ଦାଣ୍ଡ ଏକପ୍ରକାର ଲୋକାରଣ୍ୟ ହୋଇ ଯାଇଥିଲା। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ବାର ବାଟେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ କରିଥିଲେ। ଶ୍ରୀମନ୍ଦିରରେ ସାତପାହାଚ ଦେଇ ନାଟମଣ୍ଡପ ଓ ଭିତରକାଠକୁ ପ୍ରବେଶ କରୁଥିବା ଭକ୍ତମାନେ ବେହେରଣ ଦ୍ବାର ଦେଇ ପ୍ରସ୍ଥାନ କରିଥିଲେ। ଅନ୍ୟପକ୍ଷରେ ଆଜି ନିର୍ଧାରିତ ସମୟ ମଧ୍ୟରେ ମହାପ୍ରଭୁଙ୍କ କାର୍ତିକ ନୀତି ଶୃଙ୍ଖଳିତ ଭାବେ ଶେଷ ହୋଇଥିଲା।
ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗତକାଲି ରାତି ୧୧ଟା ୪୫ରେ ମହାପ୍ରଭୁଙ୍କ ପହୁଡ଼ ନୀତି ପରେ ରାତି ଗୋଟାଏରେ କାର୍ତିକ ନୀତି ଆରମ୍ଭ ହୋଇଥିଲା।