ଅପରାଧ

ମାଓବାଦୀ ଆକ୍ରମଣ ଯୋଜନା ପଣ୍ଡ : ମହିଳା କ୍ୟାଡର ମୃତ

Published

on

ବାଲିଗୁଡ଼ା ୧୪/୩ : ବାଲିଗୁଡ଼ା ଥାନା ଇଲାକାରେ ୨୦ରୁ ୨୫ ମାଓବାଦୀ ବଡ଼ଧରଣର ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ମାତ୍ର, ଠିକଣା ସମୟରେ ସୁରକ୍ଷା ଯବାନଙ୍କ ପକ୍ଷରୁ ତତକ୍ଷଣାତ ଅପରେସନ୍ କରାଯିବା ଫଳରେ ଏହି ଆକ୍ରମଣ ଯୋଜନା ପଣ୍ଡ ହୋଇଛି । ଏହି ଅପରେସନ୍ ସମୟରେ ଜଣେ ମହିଳା କ୍ୟାଡରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ଭୋଟଗ୍ରହଣ ପୂର୍ବରୁ ମାଓବାଦୀମାନେ ଆକ୍ରମଣ ପାଇଁ ଏକ ବଡ଼ଧରଣର ଯୋଜନା ପ୍ରସ୍ତୁତ କରୁଥିଲେ। ଗୁଇନ୍ଦା ବିଭାଗ ନିକଟରେ ଏହି ଖବର ରହିଥିଲା । ଆଜି ସକାଳେ ବାଲିଗୁଡା ଥାନା ପରମପାଙ୍ଗା ପଞ୍ଚାୟତ ସୁକୁଙ୍ଗିଆ ବିଦ୍ୟାଳୟ ନିକଟ ଗଛରେ ସିପିଆଇ (ମାଓବାଦୀ) ବାଘୁନା ଡିଭିଜନାଲ କମିଟିର ଲାଲ ରଙ୍ଗର ବ୍ୟାନର୍ ଦେଖିବାକୁ ମିଳିଥିଲା। ଯେଉଁଥିରେ, ଭୋଟ ବର୍ଜନ ପାଇଁ ଆହ୍ବାନ ଦିଆଯିବା ସହିତ ବିପ୍ଳବୀ ଲୋକ ସରକାର ଗଢ଼ିବା ପାଇଁ ଆହ୍ୱାନ ଦିଆଯାଇଥିଲା। ଏହା ଜାଣିବା ପରେ ପୁଲିସ୍ ସଜାଗ ହୋଇଥିଲା ଏବଂ କମ୍ବିଂ ଅପରେସନକୁ ଜୋରଦାର୍ କରିଥିଲା।
ମିଳିଥିବା ସୂଚନା ଅନୁସାରେ, ବାଲିଗୁଡା ଥାନା ରୁତୁଙ୍ଗିଆ ପଞ୍ଚାୟତ କୁଞ୍ଜଲାଙ୍ଗୁ ନିକଟ ରାମପାଦାରି ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଥିବା ଜାଣିବା ପରେ ପୁଲିସ ସୁରକ୍ଷା କର୍ମୀମାନେ ସେ ଆଡ଼କୁ ଅଗ୍ରସର ହୋଇଥିଲେ। ସେଠାରେ ପ୍ରଥମେ ମାଓବାଦୀଙ୍କ ପଟୁ ଗୁଳିମାଡ଼ ହୋଇଥିଲା । ଏହାପରେ ପୁଲିସ ଓ ସୁରକ୍ଷା ଯବାନ ଆଖିବୁଜା ଗୁଳିବର୍ଷା କରିଥିଲେ । ପୂର୍ବାହ୍ନ ୭ଟାରୁ ୮ଟା ପର‌୍ୟ୍ୟନ୍ତ ଉଭୟ ପଟୁ ଏକ ଘଣ୍ଟା କାଳ ଗୁଳି ବିନିମୟ ସହ ଗ୍ରେନେଡ୍ ମାଡ଼ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ଜଣେ ମହିଳା କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଥିଲା। ହେଲେ ୨୦ରୁ ୨୫ ମାଓବାଦୀ ସେଠାରୁ ଛତ୍ରଭଙ୍ଗ ଦେଇଥିବା ଏବଂ ୧୫ ମାଓବାଦୀ ଆହତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହାପରେ କ୍ୟାମ୍ପରୁ ୪ଟି ବନ୍ଧୁକ, ଗୋଟିଏ ୩୦୩ ରାଇଫଲ, ୩ଟି ହାଣ୍ଡ ଗ୍ରେନେଡ୍, ଗୋଟିଏ ଲ୍ୟାଣ୍ଡ ମାଇନ୍ ସମେତ ବିସ୍ଫୋରଣ ସାମଗ୍ରୀ ଜବତ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Trending

Exit mobile version