ସୁନ୍ଦରଗଡ଼/ଖୋର୍ଦ୍ଧା ୧/୧୨ : ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଆହତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଂଚଳର କୁଲେଇବଗା ଗ୍ରାମର ଜଣେ ବ୍ୟକ୍ତି ବିଲରେ ଧାନ ବେଙ୍ଗଳା ପକାଇ ଘରକୁ ଫେରୁଥିବାବେଳେ ହଠାତ୍ ଏକ ଦନ୍ତାହାତୀ ତାଙ୍କୁ ଆକ୍ରମଣ କରିଥିଲା । ହାତୀଟି ତାଙ୍କୁ ଶୁଣ୍ଢରେ ଟେକି ଫୋପାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ନାମ ସଦାଶିବ ପାତ୍ର ।
ସେହିଭଳି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅଂଚଳର ଭୁଷଣ୍ଡପୁରକୁ ହାତୀ ପଶି ଆସିଥିବାରୁ ସେଠାରେ ଆତଙ୍କ ଖେଳିଯାଇଛି । ପ୍ରାୟ ୨୪ଟି ହାତୀ ସମ୍ପୃକ୍ତ ଅଂଚଳର ବିଭିନ୍ନ ସ୍ଥାନରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଲୋକଙ୍କୁ ଗୋଡ଼ାଇଥିଲେ । ହାତୀ ଆକ୍ରମଣରେ ଦୁଇଜଣ ଆହତ ହୋଇଛନ୍ତି । ଆହତ ହୋଇଥିବା ଏହି ଦୁଇ ବ୍ୟକ୍ତି ହେଲେ, ପ୍ରତାପ ଦାସ ଓ ଅଜିତ୍ ତରଫଦାର । ସେମାନଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ହାତୀମାନେ ଭୁଷଣ୍ଡପୁର ଷ୍ଟେସନରେ ମଧ୍ୟ ପଶି ଭଙ୍ଗାରୁଜା କରିଛନ୍ତି ।