ବାରିପଦା ୩୦/୧ : ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ବାରିପଦାରେ ରିଙ୍ଗ ରୋଡ ନିର୍ମାଣ ହେବ । କେବଳ ଏତିକି ନୁହେଁ ବାରିପଦାରେ ମଧ୍ୟ ଛଉନୃତ୍ୟ ଗବେଷଣା ପ୍ରତିଷ୍ଠାନ ସ୍ଥାପନ କରାଯିବ । ବୁଧବାର ବାରିପଦା ଛଉ ପଡ଼ିଆରେ ମିଶନ ଶକ୍ତି ମହାସମାବେଶରେ ଉଦବୋଧନ ଦେବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ବାରିପଦା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କକୁ ମଧ୍ୟ ପୁନଃ କାର୍ଯ୍ୟକ୍ଷମ କରାଯିବ । ବାରିପଦା ଆୟୁର୍ବେଦ କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ସମ୍ପର୍କରେ ମଧ୍ୟ ବିଚାର କରାଯିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚମ୍ପା ନଦୀ ଉପରେ ଉଦଳାରେ ହାଇଲେଭଲ ସେତୁ, ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର, ବାରିପଦା ମହିଳା ବିଦ୍ୟାଳୟ ଓ ଏମପିସି ଜୁନିଅର କଲେଜରେ ୩୦୦ ସିଟ ବିଶିଷ୍ଟ ଚାତ୍ରୀ ନିବାସ ଏବଂ ଖଣିଆ, ଜୁଆଳିଭଙ୍ଗା ଓ ଜ୍ୟୋତିପୁରଠାରେ ୩ଟି ପାଇପ ଜଳଯୋଗାଣ ପ୍ରକଳ୍ପ ସମେତ ମୋଟ ୧୧ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିଥିଲେ । ଏହାସହ ସେ ବୁଢ଼ାବଳଙ୍ଗ ନଦୀ ଉପରେ ହାଇଲେଭଲ ସେତୁ, ବଡ଼ ଗୁଡୁଗୁଡିଆ ଓ ଧାତିକାଠାରେ ଦୁଇଟି ପାଇପ ଜଳଯୋଗାଣ ପ୍ରକଳ୍ପ, ରାସଗୋବିନ୍ଦପୁର ବ୍ଲକରେ ଜମ୍ଭିରା ନଦୀର ଉଭୟପାଶ୍ୱର୍ ତଟସୁରକ୍ଷା ବନ୍ଧ ସମେତ ୬ଟି ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
ଏହାଛଡ଼ା ୨୦ ହଜାର ୨୯୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କା ଲେଖାଏଁ ସିଡ ମନି ଏବଂ ୨୬ଟି ବ୍ଲକସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ôଥକ ଅନୁଦାନ ପ୍ରଦାନ କରିଥିଲେ ।