Connect with us

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡିର ଭବାନୀପାଟଣା ଠାରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏକ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ଉଦ୍‌ଘାଟନ କରିଛନ୍ତି। ଏଥିରେ ୧୬ଟି ICU ଓ ୧୬ଟି HDU ଶଯ୍ୟା ସହିତ ଏକ ସ୍ବତନ୍ତ୍ର ଶିଶୁ ଚିକିତ୍ସା ୱାର୍ଡ ମଧ୍ୟ ରହିଛି । ଏଥିରେ ସମସ୍ତ ପ୍ରକାର ଆଧୁନିକ ଚିକିତ୍ସା ଉପକରଣ ରଖାଯାଇଛି । ଏହାଦ୍ବାରା କଳାହାଣ୍ଡି ଓ ଆଖପାଖ ଅଞ୍ଚଳର ଲୋକମାନେ ଉନ୍ନତମାନର କୋଭିଡ ଚିକିତ୍ସା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ହସ୍‌ପିଟାଲ ପାଇଁ ବେଦାନ୍ତ ଗ୍ରୁପ ତଥା ଏହାର ଅଧ୍ୟକ୍ଷ  ଅନିଲ ଅଗ୍ରୱାଲଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ହସ୍‌ପିଟାଲରେ ଚିକିତ୍ସା ଠାରୁ ଆରମ୍ଭ କରି ରୋଗ ନିରୂପଣ, ଔଷଧ, ଖାଦ୍ୟ ଆଦି ସବୁ ମାଗଣାରେ ଯୋଗାଇ ଦିଆଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏକବିଂଶ ଶତାଦ୍ଦୀର କଳାହାଣ୍ଡି ବିଂଶ ଶତାଦ୍ଦୀର କଳାହାଣ୍ଡି ଠାରୁ ବହୁତ ଆଗକୁ ଯାଇପାରିଛି । ଗତ ଦୁଇ ଦଶକ ମଧ୍ୟରେ ବିକାଶର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରିଛି । ଏ ରୂପାନ୍ତର ବାସ୍ତବିକ ଉଲ୍ଲେଖନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କଳାହାଣ୍ଡି ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳାହାଣ୍ଡିର ଏ ରୂପାନ୍ତର, କଳାହାଣ୍ଡି ଜିଲ୍ଲାର ଚାଷୀଭାଇ, ଯୁବସମାଜ ଓ ମା ମାନଙ୍କ ଉଦ୍ୟମ ଯୋଗୁ ସମ୍ଭବ ହୋଇପାରିଛି ।

କୋଭିଡ ମୁକାବିଲାରେ ରାଜ୍ୟର ପଦକ୍ଷେପ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ୧୫ଟି ଅକ୍‌ସିଜେନ ପ୍ଲାଣ୍ଟ ପାଇଁ କାମ ଆରମ୍ଭ ହୋଇଛି । ଆଗାମୀ ଦୁଇ ମାସ ମଧ୍ୟରେ ଏଥିରୁ ଉତ୍ପାଦନ ଆରମ୍ଭ ହେବ। କୋଭିଡର ଦ୍ବିତୀୟ ଲହରରେ ରୋଗୀ ମାନଙ୍କୁ ଅକ୍‌ସିଜେନ ସ୍ତର କମିବା ଯୋଗୁ ସାରା ଦେଶରେ ଅକ୍‌ସିଜେନ ଯୋଗାଣ ଉପରେ ଅତ୍ୟଧିକ ଚାପ ସୃଷ୍ଟି ହୋଇଥିଲା । ଏଭଳି ସମୟରେ ଓଡିଶା ୧୮ଟି ରାଜ୍ୟକୁ ଅକ୍‌ସିଜେନ ଯୋଗାଇ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇପାରିଛି । ଏଭଳି ସଂକଟ ସମୟରେ ମାନବତାର ସେବା ପାଇଁ ସୁଯୋଗ ପାଇବା ଓଡିଶାବାସୀଙ୍କ ପାଇଁ ନିଶ୍ଚିତ ଭାବରେ ସମ୍ମାନର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ମତପ୍ରକାଶ କରିଥିଲେ ।

କୋଭିଡର ଦ୍ବିତୀୟ ଲହରର ମୁକାବିଲାରେ କଳାହାଣ୍ଡିବାସୀ ଯେପରି ସାହସ ପ୍ରଦର୍ଶନ କରିଛନ୍ତି ସେଥିପାଇଁ ଜିଲ୍ଲାବାସୀଙ୍କୁ ତଥା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଂଗନବାଡୀ କର୍ମୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ତୃତୀୟ ଲହର ପାଇଁ ଏବେଠାରୁ ପ୍ରସ୍ତୁତ ରହିବାକୁ ପୁଣି ଥରେ ପରାମର୍ଶ ଦେଇ ଜନସାଧାରଣଙ୍କୁ ସମସ୍ତଙ୍କୁ ଡବଲ ମାସ୍କ ପିନ୍ଧିବା ସହିତ ଟିକା ନିଶ୍ଚୟ ନେବା ପାଇଁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାମାରୀ ହେଉ, ବା ପ୍ରାକୃତିକ ବିପର୍ଯ୍ୟୟ, ଆମେ ଯଦି ଠିକ୍‌ ଭାବରେ ଆଗରୁ ପ୍ରସ୍ତୁତ ହୋଇ ରହିବା, ତେବେ ଆମେ ନିଶ୍ଚୟ ବିଜୟ ଲାଭ କରିବା ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ  ନବ ଦାସ କଳାହାଣ୍ଡିରେ କୋଭିଡ ହସ୍‌ପିଟାଲ ସହିତ ମେଡିକାଲ କଲେଜ, ଜଳସେଚନର ବିକାଶ ଆଦି ବ୍ୟାପକ ବିକାଶମୂଳକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଶକ୍ତିମନ୍ତ୍ରୀ  ଦିବ୍ୟଶଂକର ମିଶ୍ର କହିଥିଲେ ଯେ କଳାହାଣ୍ଡିରେ କୋଭିଡ ମୁକାବିଲା ପାଇଁ ଦୁଇଟି ଅକ୍‌ସିଜେନ ପ୍ଲାଣ୍ଟ କରାଯାଇଛି, ହସ୍‌ପିଟାଲରେ ଭେଣ୍ଟିଲେଟର ବ୍ୟବସ୍ଥା କରାଯାଇଛି। ତେଣୁ କଳାହାଣ୍ଡିବାସୀ ଉନ୍ନତ କୋଭିଡ ଚିକିତ୍ସା ପାଇପାରିବେ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ  ସୁଜିତ୍‌ କୁମାର, ଧର୍ମଗଡ ଓ ଲାଞ୍ଜିଗଡର ବିଧାୟକ ଯୋଗ ଦେଇ କୋଭିଡ ହସ୍‌ପିଟାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବଦ ଦେଇଥିଲେ .

ଏହି କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଗ ଦେଇ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲ କଳାହାଣ୍ଡିର ବିକାଶ ଓ ଓଡିଶାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚପ୍ରଶଂସା କରିଥିଲେ । ସେ କହିଥିଲେ ଯେ କଳାହାଣ୍ଡି ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ରହିଛି । ମୁଁ ତାଙ୍କୁ ଯେତେବେଳେ ଭେଟିଛି, ସେ ସବୁବେଳେ କଳାହାଣ୍ଡିର ବିକାଶ ସଂପର୍କରେ ମୋ ସହିତ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ଲୋକଙ୍କ ଉନ୍ନତି ଓ ରାଜ୍ୟର ବିକାଶ କଥା ଚିନ୍ତା କରନ୍ତି। ବାତ୍ୟା ସମୟରେ ମୁଖ୍ୟମନ୍ତ୍ରୀ ଯେଉଁଭଳି ଭାବରେ ନେତୃତ୍ବ ନେଇ ମୁକାବିଲା କଲେ ଓ ଲୋକଙ୍କ ଜୀବନର ସୁରକ୍ଷା କଲେ, ତାହା ଆଜି ସମଗ୍ର ବିଶ୍ବରେ ଚର୍ଚ୍ଚାର ବିଷୟ ହୋଇଛି । ଆମେ ଅନେକ ରାଜ୍ୟରେ କାମ କରୁଛୁ, କିନ୍ତୁ ଓଡିଶାରେ କାମ କରିବାର ଅଭିଜ୍ଞତା ମୋତେ ସବୁଠାରୁ ଭଲ ଅନୁଭବ ଦେଇଛି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କଳାହାଣ୍ଡି ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବେଦାନ୍ତ ର CFO ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Continue Reading
Click to comment

Leave a Reply

Your email address will not be published. Required fields are marked *

Health

ଓଡିଶା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଙ୍କୁ ସାକ୍ଷାତ କଲେ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ 

Published

on

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ସିଇଓ ଡ. ଆଶୁତୋଷ ବିଶ୍ୱାସ ଗତକାଲି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସାକ୍ଷାତ କରିଥିଲେ। ରାଜ୍ୟରେ ସ୍ୱାସ୍ଥ୍ୟସେବା ସେବାକୁ ସୁଦୃଢ଼ କରିବା ଏବଂ ବିଭିନ୍ନ ସହଯୋଗମୂଳକ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ଉପରେ ଉଭୟଙ୍କ ମଧ୍ୟରେ ଏକ ବିସ୍ତୃତ ଆଲୋଚନା ହୋଇଥିଲା।

ଏହି ଅବସରରେ, ଡ. ବିଶ୍ୱାସ ମୁଖ୍ୟ ଶାସନ ସଚିବଙ୍କୁ ଏମ୍ସ ଭୁବନେଶ୍ୱରରେ ରୋଗୀ ସେବା ସହିତ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହିତ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପ୍ରଦାନ, ଗବେଷଣା ଏବଂ ଡାକ୍ତରୀ ଶିକ୍ଷାପ୍ରଦାନ ସମ୍ପର୍କିତ ବିଭିନ୍ନ ପଦକ୍ଷେପ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ମଧ୍ୟ ଆଲୋକପାତ କରିଥିଲେ।

ସ୍ୱାସ୍ଥ୍ୟସେବା ପ୍ରଦାନରେ ଉନ୍ନତି ଆଣିବା, ସାଂସ୍ଥାଗତ ସହାୟତାକୁ ସୁଦୃଢ଼ କରିବା ଏବଂ ଓଡ଼ିଶାର ଲୋକଙ୍କ ବର୍ଦ୍ଧିତ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣ କରିବା ପାଇଁ ସମନ୍ୱିତ ପ୍ରୟାସ, ପାରସ୍ପରିକ ସହଯୋଗ ଉପରେ ଆଲୋଚନା ହୋଇଥିଲା।

ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ୱାସ୍ଥ୍ୟସେବା ପ୍ରଦାନ ପ୍ରତି ଏମ୍ସ ଭୁବନେଶ୍ୱର ଦ୍ୱାରା ଗ୍ରହଣ କରାଯାଇଥିବା ବ୍ୟାପକ ଏବଂ ସାମଗ୍ରିକ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ। ରାଜ୍ୟର ସାମଗ୍ରିକ ଲାଭ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସେବାକୁ ଆଗକୁ ବଢାଇବା ଏବଂ ସାଂଗଠନିକ ସହଯୋଗକୁ ସୁଦୃଢ଼ କରିବା ପାଇଁ ସେ ନିରନ୍ତର ସମର୍ଥନ ଏବଂ ମିଳିତ ପ୍ରତିବଦ୍ଧତା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Continue Reading

Health

ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ପ୍ରସ୍ତୁତି ଆରମ୍ଭ

Published

on

ଭୁବନେଶ୍ବର: ଓଡ଼ିଶାବାସୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନାର ସୁଫଳ କିପରି ଯଥାଶୀଘ୍ର ପାଇପାରିବେ ସେ ନେଇ ବିଭାଗ ବିଭିନ୍ନ ପ୍ରସ୍ତୁତି ଓ ପ୍ରଶିକ୍ଷଣ ଆରମ୍ଭ କରିଛି ।

ଏହି ସମନ୍ୱିତ ଯୋଜନା ଦ୍ବାରା ରାଜ୍ଯବାସୀ ଦେଶର ପ୍ରାୟ 30 ହଜାର ଚିକିତ୍ସାଳୟରେ ଉନ୍ନତ ସ୍ବାସ୍ଥ୍ୟସେବା ପାଇପାରିବେ । ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆସିବ ଯୁଗାନ୍ତକାରୀ ପରିବର୍ତ୍ତନ ।

ରାଜ୍ଯ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ଯାଣ ବିଭାଗ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନାକୁ ସମନ୍ବିତ କରି ଜନସାଧାରଣଙ୍କୁ ଅତିଶୀଘ୍ର ସ୍ବାସ୍ଥ୍ୟସେବାର ସୁଫଳ ଦେବା ପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆଜିଠାରୁ ଯୋଜନା ସହ ସଂପୃକ୍ତ ବିଭିନ୍ନ ଅଂଶୀଦାର ଏବଂ ପ୍ରଧାନମନ୍ତ୍ରୀ ଆରୋଗ୍ଯମିତ୍ରଙ୍କ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ପ୍ରଥମ ଦିନରେ 60ଟି ଚିକିତ୍ସାଳୟର 180 ଜଣଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା ସମ୍ପର୍କିତ ଆବେଦନ ପ୍ରକ୍ରିୟା, ଆଇଟି ପ୍ଲାଟଫର୍ମର ବିବିଧ ବ୍ଯବହାର, ଟ୍ରାନ୍ ଜେକ୍ ସନ ମ୍ୟାନେଜମେଣ୍ଟ ସିଷ୍ଟମ୍, ଅଭିଯୋଗ ସମାଧାନ ପ୍ରକ୍ରିୟା ଆଦି ବିଷୟରେ ମାଷ୍ଟର ଟ୍ରେନରମାନେ ପ୍ରଶିକ୍ଷଣ ଦେଇଥିଲେ । ପର୍ଯ୍ଯାୟକ୍ରମେ ଯୋଜନା ସହ ସଂପୃକ୍ତ ସମସ୍ତ ସରକାରୀ ଓ ବେସରକାରୀ ଅଂଶୀଦାର ଏବଂ ପ୍ରଧାନମନ୍ତ୍ରୀ ଆରୋଗ୍ଯ ମିତ୍ରମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ।

ରାଜ୍ୟ ସ୍ୱାସ୍ଥ୍ୟ ପ୍ରତିଶୃତି ସମିତି (ସାସ)ର ସିଇଓ ତଥା
ଜାତୀୟ ସ୍ବାସ୍ଥ୍ୟ ମିଶନ (ଓଡ଼ିଶା)ର ମିଶନ ନିର୍ଦ୍ଦେଶିକା ଡା. ବୃନ୍ଦା ଡି., ଡା. ବିଷ୍ଣୁପ୍ରସାଦ ମହାପାତ୍ର, ଡା. ରଶ୍ମିରଞ୍ଜନ ମହାପାତ୍ର, ଡା. ଅରୁଣ ମହାପାତ୍ର, ଶ୍ରୀ ଶରତ ମିଶ୍ର ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ ।

 

Continue Reading

Health

ମୃତ ଯୁବକ ଫେରି ପାଇଲେ ଜୀବନ

Published

on

ଭୁବନେଶ୍ୱର: ବନ୍ଦ ହୋଇଗଲା ହୃଦଯନ୍ତ୍ର l ଚବିଶ ବର୍ଷୀୟ ଶୁଭକାନ୍ତ ସାହୁ, ଭାରତୀୟ ସୈନ୍ୟ ବାହିନୀର ଯବାନଙ୍କୁ ବୋଲି ଘୋଷଣା କରିଦେଇଥିଲେ ଡାକ୍ତର l ହେଲେ ଶୁଭକାନ୍ତ ବଞ୍ଚି ଉଠିଲେ l

ଚିକିତ୍ସା ବିଜ୍ଞାନ ଏବଂ କାର୍ଯ୍ୟଦକ୍ଷତାର ଅପୂର୍ବ ସମନ୍ୱୟ, ନିଶ୍ଚିତ ମୃତ୍ୟୁ ମୁଖରୁ ଯବାନଙ୍କୁ ବଞ୍ଚାଇ ଆଣିଲେ ଏମ୍‌ସ ଭୁବନେଶ୍ୱର ଡାକ୍ତରୀ ଦଳ l ଦୁଇ ଘଣ୍ଟା ପରେ ପୁନଃକାର୍ଯ୍ୟ କଲା ବନ୍ଦ ହୋଇଯାଇଥିବା ଶୁଭକାନ୍ତଙ୍କ ହୃଦୟ l

ଚିକିତ୍ସା ବିଜ୍ଞାନ ଏବଂ କାର୍ଯ୍ୟଦକ୍ଷତାର ଅପୂର୍ବ ସମନ୍ବୟ ସହିତ ଏମ୍‌ସ ଭୁବନେଶ୍ୱରରେ ଏକ ଉତ୍ସର୍ଗୀକୃତ ଡାକ୍ତରୀ ଦଳ ଉନ୍ନତ ଏକ୍ସଟ୍ରାକୋର୍‌ପୋରାଲ୍ କାର୍ଡିଓ-ପୁଲମୋନାରୀ ରେସୁସିଟେସନ୍‌ (ଇ-ସିପିଆର୍‌) ମାଧ୍ୟମରେ ଏହି ୨୪ ବର୍ଷ ବୟସ୍କ ଆର୍ମୀ ଯବାନଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା କରିଛନ୍ତି। ନୟାଗଡ଼ ରଣପୁର ଅଞ୍ଚଳରୁ ଆସିଥିବା ଏହି ଯୁବକଙ୍କର ହୃଦୟ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ବନ୍ଦ ହୋଇଯାଇଥିଲା। ମାତ୍ର ଏମ୍‌ସ ଭୁବନେଶ୍ୱର ଡାକ୍ତରୀ ଦଳଙ୍କ ନିଷ୍ଠାପର ଉଦ୍ୟମ ଏବଂ ଚିକିତ୍ସା ଜ୍ଞାନକୌଶଳର ସଫଳ ପ୍ରୟୋଗ ଉକ୍ତ ଯବାନଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇଛି। ଓଡ଼ିଶା ସମେତ ପୂର୍ବ ଭାରତରେ ପ୍ରଥମ କୁହାଯାଉଥିବା ଏହି ଇସିପିଆର୍‌ ପ୍ରଣାଳୀର ଚମତ୍କାର ଉପଯୋଗ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳର ସମ୍ମୀଶ୍ରଣ ତଥା ଏମ୍‌ସର ଡାକ୍ତରୀ ଦଳଙ୍କ ଅଦମ୍ୟ ପ୍ରତିବଦ୍ଧତାର ଉଦାହରଣ ସାବ୍ୟସ୍ତ ହୋଇଛି।

ଏମ୍‌ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏପରି ଅନନ୍ୟ କାର୍ଯ୍ୟକୁ ସଫଳ ରୂପ ପ୍ରଦାନ କରିଥିବା ଡାକ୍ତରୀ ଦଳର ପ୍ରଶଂସା କରିଛନ୍ତି। ଏମ୍‌ସ ଭୁବନେଶ୍ୱର ଚିକିତ୍ସା ବିଜ୍ଞାନ ଓ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୁକ୍ତ ସମନ୍ବୟ ସହିତ ଅଗ୍ରଗାମୀ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସର୍ବଦା ଆଗରେ ରହିଆସିଛି। ଜୀବନ ବଞ୍ଚାଇବା ଏବଂ ଚିକିତ୍ସା ସେବାକୁ ଆଗକୁ ନେବା ପାଇଁ ଏହା ଆମର ଉତ୍ସର୍ଗୀକୃତ ଭାବନାର ଏକ ଉଦାହରଣ ବୋଲି ଡ. ବିଶ୍ବାସ ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟଯେ ଜଟିଳ ସ୍ବାସ୍ଥ୍ୟାବସ୍ଥାରେ ଗୁରୁତର ଥିବା ଉପରୋକ୍ତ ଯୁବକଙ୍କୁ ଅକ୍ଟୋବର ପହିଲାରେ ଏମ୍‌ସ ଭୁବନେଶ୍ୱରକୁ ରେଫର୍ କରାଯାଇଥିଲା। ଏମ୍‌ସରେ ପହଞ୍ଚିବାର କିଛି ସମୟ ପରେ ଯୁବକ ଜଣଙ୍କ ହୃଦ୍‌ଘାତରେ ଆକ୍ରାନ୍ତ ହୋଇଥିଲେ। ଜୀବନ ବଞ୍ଚାଇବା ନିମିତ୍ତ ୪୦ ମିନିଟ୍‌ର ପ୍ରାଥମିକ ସିପିଆର୍‌ ସତ୍ତ୍ବେ ତାଙ୍କର ହୃଦୟ କାର୍ଯ୍ୟ କରିନଥିଲା। ଏପରି ଅବସ୍ଥାରେ ସାଧାରଣତଃ ଦୁଇଟି ନିଷ୍ପତି ନିଆଯାଇଥାଏ। ମୃତ୍ୟୁ ଘୋଷଣା କରିବା କିମ୍ବା ଇ-ସିପିଆର୍‌ ପ୍ରଣାଳୀ ପ୍ରୟୋଗ କରିବା। ତେବେ ଏମ୍‌ସ ଡାକ୍ତରୀ ଦଳ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ଯବାନଙ୍କର ଜୀବନ ବଞ୍ଚାଇବା ନିମନ୍ତେ ନିରନ୍ତର ଉଦ୍ୟମ କରିଥିଲେ। ଏକ୍‌ମୋ ବିଶେଷଜ୍ଞ ଡ. ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ପ୍ରାୟ ୮୦ ମିନିଟ୍‌ର ମାରାଥନ୍ ସିପିଆର୍‌ ପରେ ଯୁବକଙ୍କୁ ଏକ୍‌ମୋ ପ୍ରଣାଳୀ ପ୍ରଦାନ ଆରମ୍ଭ କରିଥିଲେ। ତେବେ ଇସିପିଆର୍‌ ଦେବାର ୪୦ ମିନିଟ୍‌ ପରେ ଯୁବକଙ୍କ ହୃଦୟ କାର୍ଯ୍ୟ ଆରମ୍ଭ କରିଥିଲା। ପରବର୍ତ୍ତୀ ୩୦ ଘଣ୍ଟା ମଧ୍ୟରେ, ହୃଦୟର କାର୍ଯ୍ୟରେ ଯଥେଷ୍ଟ ଉନ୍ନତି ହେଲା, ଏବଂ ୯୬ ଘଣ୍ଟା ପରେ ରୋଗୀଙ୍କୁ ସଫଳତାର ସହିତ ଏକ୍‌ମୋରୁ ବାହାର କରାଯାଇଥିଲା। ଦଳଗତ ଭାବେ ଉଲ୍ଲେଖନୀୟ ପାରଦର୍ଶୀତା, ସମନ୍ୱୟ ଏବଂ ଉତ୍ସର୍ଗୀକୃତ ପ୍ରଦର୍ଶନ ମାଧ୍ୟମରେ ଏପରି ଏକ ଜଟିଳ କାର୍ଯ୍ୟ ସମ୍ପାଦନ କରି ଜଣେ ଯବାନଙ୍କ ଜୀବନ ବଞ୍ଚାଇବା ଏକ ଅନନ୍ୟ ସଫଳତା।

ପୁଅକୁ ଦ୍ବିତୀୟ ଜୀବନ ପ୍ରଦାନ କରିଥିବାରୁ ଏମ୍‌ସ ଭୁବନେଶ୍ୱର ଡାକ୍ତରୀ ଦଳକୁ କୃତଜ୍ଞତା ପ୍ରଦାନ କରିଛନ୍ତି ଯବାନଙ୍କ ମା। ଏମ୍‌ସ ଡାକ୍ତରମାନଙ୍କର ଦକ୍ଷତା, କରୁଣା ଏବଂ ନିଷ୍ଠାକୁ ଆମ ପରିବାର ସବୁଦିନ ମନେରଖିବ ବୋଲି ଯବାନଙ୍କ ମା ପ୍ରକାଶ କରିଛନ୍ତି।

ଇ-ସିପିଆର୍‌ ପ୍ରଣାଳୀ ଏକ କଷ୍ଟସାଧ୍ୟ ପ୍ରକ୍ରିୟା ଏବଂ ଏହାକୁ ସଫଳତାର ସହିତ ପ୍ରୟୋଗ କରିବା ଏକ ଆହ୍ବାନ। ମାତ୍ର ଆମ ଡାକ୍ତରୀ ଦଳ ଏବଂ ଅନ୍ୟାନ୍ୟ ସହଯୋଗୀଙ୍କ ଦଳଗତ ମନୋଭାବ କାରଣରୁ ଏହା ସଫଳ ହୋଇପାରିଛି। ଏହି ସଫଳତା ଓଡ଼ିଶାର ଚିକିତ୍ସା ଇତିହାସରେ ଏକ ମାଇଲଖୁଣ୍ଟ ଭାବେ ହୃଦ୍‌ଘାତର ଚିକିତ୍ସାରେ ଏକ ସମ୍ଭାବନାପୂର୍ଣ୍ଣ ପଦ୍ଧତିର ପ୍ରତିନିଧିତ୍ବ କରିବ ବୋଲି ଡ. ଶ୍ରୀକାନ୍ତ ବେହେରା ମତ ପ୍ରକାଶ କରିଛନ୍ତି।

ଏହି ପ୍ରକ୍ରିୟାରେ ଡ. କ୍ରିଷ୍ଣମୋହନ ଗୁଲା, ଡ. ସନ୍ଦୀପ କୁମାର ପଣ୍ଡା, ଡ. ସିଦ୍ଧାର୍ଥ ସାଠିଆ, ଡ. ସଙ୍ଗୀତା ସାହୁ, ଡ. ମାନସ ପାଣିଗ୍ରାହୀ, ଏମ୍‌ସିଆଇ ଏବଂ ନର୍ସିଂ ଅଧିକାରୀଙ୍କ ଭଳି ସ୍ବାସ୍ଥ୍ୟସେବା ପ୍ରଦାନକାରୀ ପ୍ରମୁଖ ସାମିଲ ଥିଲେ।

ଏହି ଅଭିନବ ସଫଳତା ପାଇଁ ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ଅନୁପମ ଦେ, ଡ. ରଶ୍ମିରଞ୍ଜନ ମହାନ୍ତି, ଡ. ଦେବାନନ୍ଦ ସାହୁ ପ୍ରମୁଖ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions