ନୂଆପଡ଼ା ୨୫/୨ : ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଗସ୍ତ କରି ୨୩୭.୩୫ କୋଟି ଟଙ୍କାର ୩୯ଟି ପ୍ରକଳ୍ପ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତ କି, କାଳିଆ ଯୋଜନା ହେଉଛି ଚାଷୀଭାଇଙ୍କ ଯୋଜନା ଆପଣମାନଙ୍କର ଯୋଜନା । ଏଥିରେ ଛୋଟ ଚାଷୀ , ଭାଗ ହୀନ ଚାଷୀ ଏବଂ କୃଷି ଶ୍ରମିକଙ୍କର ସମସ୍ତ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଇଛି । ସ୍ୱାଭାମାନ ସହ ବଂଚିବା ପାଇଁ ଚାଷୀକୁ କାଳି ଯୋଜନା ସାହସ ଦେବା ସହ କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି । ଚାଷୀଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ଯୋଜନାରେ ଭୂମିହୀନ ଚାଷୀ, ଭାଗ ଚାଷୀ ଏବଂ କୃଷି ଶ୍ରମିକଙ୍କୁ ସଂପୂର୍ଣ୍ଣ ଅଣଦେଖା କରାଯାଇଛି । ସେମାନଙ୍କ ପାଇଁ କେନ୍ଦ୍ରୀୟ ଯୋଜନାରେ କୌଣସି ସହାୟତାର ବ୍ୟବସ୍ଥା ନଥିବା ଦୁଃଖର ବିଷୟ । ହେଲେ ଭୂମିହୀନ ଚାଷୀ, ଭାଗ ଚାଷୀ , କୃଷି ଶ୍ରମିକଙ୍କ ସାର୍ଥ ଯେପରି ସୁରକ୍ଷିତ ରହିବ, ସେମାନେ ଯେପରି ଅନ୍ୟମାନଙ୍କ ପରି ସହୟତା ପାଇବେ, ତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଥିବା ସହିତ କେନ୍ଦ୍ର ସରକାର ପିଏମ କିଷାନ ଯୋଜନାରେ ୬ ହଜାର ପରିବର୍ତେ ୧୦ ହଜାର ଟଙ୍କା ଦିଅନ୍ତୁ ବୋଲି କହିଛନ୍ତି ନବୀନ । ସେହିପରି ଏପ୍ରିଲ ୧ ତାରିଖରେ ଚାଷୀଙ୍କୁ କାଳିଆ ସହାୟତା ବାବଦରେ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖରିଆର-ବୋଡେନ୍-ସିନାପାଲି ରାସ୍ତାର ଶୁଭ ଉଦ୍ଘାଟନ କରିଛନ୍ତି । ପରେ ବୋଡେନ୍ ରାସ୍ତା ଏବଂ କୋମନା-କାଣେଡତରା ରାସ୍ତାର ନୂଆଗାଁ ନାଳ ଉପରେ ନିର୍ମିତ ୩ଟି ହାଇଲେଭଲ ସେତୁ ଉଦ୍ଘାଟନ କରିଛନ୍ତି । ନବନିର୍ମିତ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସାଇପଲା-ନୂଆପନା ବିଜୁ ଏକ୍ସପ୍ରେସ ୱେ ଏବଂ ରାଜ୍ୟ ରାଜପଥ ୩ ଜୁନାନି ରାସ୍ତା, ନୂଆପଡ଼ା ବ୍ଲକ୍ର ସାଇପଲା ଏବଂ ଖରିଆର ବ୍ଲକ୍ ବାଦି ୩୩/୧୧ କେଭି ସବଷେଟସନ, କୋମନା, ନୂଆପଡ଼ା, ବୋଡେନ ଏବଂ ସିନାପାଲି ବ୍ଲକର ୮ଟି ୧୦୦ ସିଟ ବିଶିଷ୍ଟ ଛାତ୍ରୀନିବାସ, ନବନିର୍ମିତ ନୂଆପଡ଼ା ପର୍ଯ୍ୟଟନ କାର୍ଯ୍ୟାଳୟ, ସିନାପାଲି ଏବଂ ମୋମନା ବ୍ଲକ୍ର ୫ଟି ଜଳଯୋଗାଣ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ୧୩୨ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି ।
ସେହିପରି ବୋଡେନ, ନୂଆପଡ଼ା ଏବଂ କୋମନା ବ୍ଲକ୍ର ୬ଟି ସଡ଼କ ନିର୍ମାଣ ପ୍ରକଳ୍ପ, ନୂଆପଡ଼ା, ବୋଡେନ ଏବଂ ଖରିଆର ବ୍ଲକର ୫ଟି ହାଇଲେଭଲ ସେତୁ, ନୂଆପଡ଼ା ଜିଲ୍ଲା ଲାଇବ୍ରେରୀ ଏବଂ କୋମନା ବ୍ଲକ ମେଣ୍ଢାତାଲ ଆଇସ୍କୁଲ ନିର୍ମାଣ, ସିନାପାଲି ବ୍ଲକର ତାଳକୋଟ, ମହେଶ୍ୱର ଏବଂ ଆଖପାଖ ଅଂଚଳ ପାଇଁ ମେଗା ପାଇପ ଜଳଯୋଗାଣ, ସିନାପାଲି ବ୍ଲକର ଲିଟିଗୁଡ଼ା କ୍ଷୁଦ୍ର ଜଳସେଚନ ପ୍ରଭୃତି ୧୦୫ କୋଟିରୁ ଉଦ୍ଧ୍ୱର୍ ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।