Nation

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା: ସାତ ଦିନ ପାଇଁ ରିଲିଫ ଘୋଷଣା

Published

on

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସହିତ ବାତ୍ୟା ୟାସର ପ୍ରଭାବ, ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରି ବାତ୍ୟା ଯୋଗୁ କ୍ଷତିଗ୍ରସ୍ତ ଜିଲ୍ଲାଗୁଡିକର ୧୨୮ଟି ଜଳମଗ୍ନ ଗ୍ରାମର ସମସ୍ତ ପରିବାରକୁ ୭ ଦିନ ପାଇଁ ରିଲିଫ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ।

ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ବାତ୍ୟା ୟାସ ସମୟରେ ସମସ୍ତ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ଉଲ୍ଲେଖନୀୟ କାର୍ଯ୍ୟ ଓ ସହଯୋଗ ପାଇଁ ସମସ୍ତ ପଞ୍ଚାୟତ ପ୍ରତିନିଧି, ଜିଲ୍ଲା ପ୍ରଶାସନ, ନାଗରିକ ସଂଗଠନ, NDRF ,ODRF ଏବଂ ପୋଲିସ- ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେହିପରି ବାତ୍ୟା ସମୟରେ ରୋଗୀ ମାନଙ୍କୁ ନିରବଚ୍ଛିନ୍ନ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହାସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ଜିଲ୍ଲାଗୁଡିକର ସମସ୍ତ ପ୍ରମୁଖ ରାସ୍ତା ଗୁଡିକ ଯୋଗାଯୋଗ ସ୍ବଭାବିକ କରାଯିବା ଏବଂ ୮୦ ପ୍ରତିଶତ ଅଞ୍ଚଳରେ ବିଦ୍ୟୁତ ପୁନଃସଂଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ବାତ୍ୟା ଷୟଷତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟା ଯୋଗୁ ଉଚ୍ଚ ଜୁଆର ଆସି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ୧୨୮ ଗାଁ ଜଳମଗ୍ନ ହୋଇଛି । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହିତ ସଡକ, ବିଦ୍ୟୁତ ଓ ଟେଲି ଯୋଗାଯୋଗ ପ୍ରଭାବିତ ହୋଇଛି । ଏହି ସମୟରେ କୋଭିଡ ହସ୍‌ପିଟାଲ ଗୁଡିକରେ କିନ୍ତୁ ସ୍ବଭାବିକ ଭାବରେ ଚାଲିଥିଲା ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ ।

ସ୍ବତନ୍ତ୍ର ରିଲିଫ କମିଶନର ପି.କେ. ଜେନା ପ୍ରଭାବିତ ଜିଲ୍ଲା ଗୁଡିକରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ମତେ ଜନସାଧାରଣଙ୍କ ଜୀବନର ସୁରକ୍ଷା ପାଇଁ ସାଢେ ଛଅ ଲକ୍ଷରୁ ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ ଓ ଅନ୍ୟାନ୍ୟ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।

ବାତ୍ୟା ସମୟରେ ଘର ଭାଙ୍ଗିବା ଯୋଗୁ କୌଣସି ଲୋକ ମୃତାହତ ହୋଇଥିବାର ସୂଚନା ନାହିଁ ବୋଲି ସେ କହିଥିଲେ । କିନ୍ତୁ ବାଲେଶ୍ବରରେ ଆଶ୍ରୟସ୍ଥଳରୁ ବାହାରକୁ ଯାଇଥିବା ଜଣେ ବ୍ୟକ୍ତି ଏବଂ କେନ୍ଦୁଝରରେ ଘରୁ ବାହାରକୁ ଯାଇଥିବା ଜଣେ ବ୍ୟକ୍ତି ଗଛ ପଡିବା ଯୋଗୁ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ବୋଲି ସେ କହିଥିଲେ ।

ରାସ୍ତା, ବିଜୁଳି, ପାନୀୟ ଜଳ ଓ ଟେଲି ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଛି ଏବଂ ଖୁବଶୀଘ୍ର ପରିସ୍ଥିତି ସ୍ବଭାବିକ ହେବ ବୋଲି ସେ କହିଥିଲେ । ଗଛ ପଡିବା ଯୋଗୁ ରାସ୍ତା ଅବରୋଧ ଦୂର କରିବା ପାଇଁ ଓଡ୍ରାଫ, ଅଗ୍ନିଶମ ଓ ବନ ବିଭାଗ ନିରନ୍ତର ଭାବେ ଗଛ କାଟିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ବୋଲି ସେ ସୂଚନା ଦେଇଥିଲେ ।

ମୟୂରଭଂଜର କୁସୁମି ବ୍ଲକ୍‌ରେ ଏହି ସମୟରେ ସର୍ବାଧିକ ୩୦୫ ମିଲିମିଟର ଓ କେନ୍ଦ୍ରାପଡା ଜିଲ୍ଲାରେ ୨୧୦ ମିଲିମିଟର ବର୍ଷା ହୋଇଥିବା ସଂପର୍କରେ ସେ ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (ଫାଇବ ଟି) ଭି କେ ପଣ୍ଡିଆନ ଆଲୋଚନା ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version